ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାର ଓଡିଶାର ଜନସାଧାରଣଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପିପିପି ମୋଡ଼ରେ 5ଟି ହସ୍ପିଟାଲ ସ୍ଥାପନା କରିବା ପ୍ରସଙ୍ଗରେ ବିଜେପି ପ୍ରବକ୍ତା ଅନିଲ ବିଶ୍ୱାଳ ଏହା କହିଛନ୍ତି ।
ସେ କହିଛନ୍ତି ଯେ , ରାଜ୍ୟ ସରକାର ଦୁଇ ଦିନ ତଳେ ପିପିପି ମୋଡ଼ରେ 5ଟି ହସ୍ପିଟାଲ ସ୍ଥାପନା କରିବା ନେଇ 5ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି l ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେଥିରୁ ଦୁଇଟା ସଂସ୍ଥାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୋୖଣସି ଅଭିଜ୍ଞତା ନାହିଁ l
ସେ କହିଛନ୍ତି, ସେଥିରୁ ଗୋଟିଏ ହେଉଛି ଏକ କମ୍ପ୍ୟୁଟର ସେବା ଯୋଗାଉଥିବା କମ୍ପାନୀ ଆଉ ଗୋଟିଏ ହେଉଛି ଏକ ଇଞ୍ଜିନିଅରିଙ୍ଗ କଲେଜ l ଏହି ଦୁଇଟା ଯାକ ସଂସ୍ଥା କେବେବି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି କାମ କରିନାହାନ୍ତି ବା ସେମାନଙ୍କର କୌଣସି ଡାକ୍ତରଖାନା ଚଳାଇବାର ଅଭିଜ୍ଞତା ନାହିଁ, ଏମିତିକି ଛୋଟିଆ କ୍ଲିନିକଟିଏ ବି ସେମାନଙ୍କର ନାହିଁ l କେଉଁ ପରିସ୍ଥିତିରେ ସେମାନଙ୍କୁ ଚୟନ କରାଗଲା ଏହାର ତଦନ୍ତ ହେବା ଆବଶ୍ୟକ l ଏହା ଏକ ବଡ଼ ଦୁର୍ନୀତି ଆଡକୁ ଇଙ୍ଗିତ କରୁଛି l
ସରକାର ଏହି କର୍ପୋରେଟ ସଂସ୍ଥାମାନଙ୍କୁ ମାଗଣା ଜମି ଦେବେ ଓ 500 କୋଟି ଟଙ୍କା ମଧ୍ୟ ଦେବେ ହସ୍ପିଟାଲ ନିର୍ମାଣ କରିବା ପାଇଁ l ଯଦି ସରକାରୀ ନିଜେ ଅର୍ଥ ଖର୍ଚ୍ଚ କରିବେ ତାହେଲେ ସରକାର ନିଜେ କାହିଁକି ଡାକ୍ତରଖାନାର ମାଲିକ ହେବେ ନାହିଁ? ପିପିପି ନାଁରେ ସରକାରୀ ଅର୍ଥରେ ଘରୋଇ କମ୍ପାନୀମାନେ କାହିଁକି ମାଲେମାଲ ହେବେ? ଏହା କଣ 5ଟି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ସରକାର ଯେଉଁ 5ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ସେମାନଙ୍କୁ କେଉଁ ଆଧାରରେ ବଛା ଯାଇଛି? ଯଦି ସରକାର ମାଗଣା ଜମି ଦେବେ ଆଉ ଡାକ୍ତରଖାନା ନିର୍ମାଣ ପାଇଁ ପଇସା ବି ଦେବେ ତାହେଲେ ଏହାର ଚୟନ ପ୍ରକିୟାରେ ମଧ୍ୟ ସ୍ୱଛତା ରହିବା ଦରକାର l ଏନେଇ ବିଧିବଦ୍ଧ ଭାବରେ ଟେଣ୍ଡର ହୋଇଛି କି?
ରାଜ୍ୟ ସରକାର ଓଡ଼ିଆ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି l ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଯଥାଶୀଘ୍ର ସ୍ପଷ୍ଟୀକରଣ ରଖିବା ଦରକାର l ନହେଲେ ଯେଉଁ ଭଳି ବେଆଇନ ଭାବରେ କାମ କରାଯାଇଛି ଓ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦିଆଯାଉଛି ଏହା ବିରୋଧରେ ଆଇନଗତ ଲଢେଇ ଲଢ଼ିବା ପାଇଁ ଲୋକେ ବାଧ୍ୟ ହେବେ l