ପୁରୀ : ଶ୍ରୀମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଦେବୀ ପୀଠରେ ଆଜି ଠାରୁ ଷୋଳପୂଜା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ମନ୍ଦିରରେ ନିଷ୍ଠାର ସହ ପୂଜା ଆରମ୍ଭ ହୋଇଛି । ରାଜାଙ୍କ ଶ୍ରୀନଅର ଠାରେ ଷୋଳ ଶାସନର ବ୍ରାହ୍ମଣ ମାନଙ୍କୁ ବରଣ କରାଯାଇଛି ।
ଷୋଳପୂଜାର ପ୍ରଥମ ଆଠ ଦିନ ମା ବିମଳାଙ୍କ ମନ୍ଦିରରେ ଖଟ ଉପରେ ଦୁର୍ଗା ଓ ମାଧବଙ୍କୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯିବ । ନବମୀ ଦିନ ଦୁଇ ମୂର୍ତି ରଥ ଉପରେ ବସି ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିବେ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ନିଶାର୍ଦ୍ଧରେ ଶଙ୍ଖୁଡ଼ି ଭୋଗ ପୂଜାର୍ଚ୍ଚନା କରାଯିବ । ଏହି ତିନି ଦିନ ରାତି ୩ଟାରେ ବଳି ଭୋଗ କରାଯିବ । ଷୋଳପୂଜାର ଷୋଳ ଦିନ ମା ବିମଳାଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି । ଷୋଳଦିନ ବ୍ୟାପୀ ବିଭିନ୍ନ ଦେବୀ ପୀଠରେ ଶୋତ୍ରିୟ ବ୍ରାହ୍ମଣଙ୍କ ଦ୍ଵାରା ଚଣ୍ଡୀପାଠ ଓ ପୂଜାର୍ଚ୍ଚନା କରାଯାଉଛି । ପୁରୀ ସହରରେ କାଳିକା ଦେବୀ ସାହିରେ ଥିବା ଦକ୍ଷୀଣକାଳୀ ମନ୍ଦିର, ବାଲିସାହି ଛକ ନିକଟରେ ଥିବା କାକୁଡ଼ି ଖାଇ ମନ୍ଦିର, ଅଠରନଳା ସ୍ଥିତ ଅଲାମ ଚଣ୍ଡୀ ମନ୍ଦିରରେ ଓ ଅନ୍ୟ ମନ୍ଦିରରେ ଚଣ୍ଡୀ ପାଠ ଓ ପୂଜାର୍ଚ୍ଚନା କରାଯାଉଛି । ବିଜୟା ଦଶମୀ ଦିନ ଷୋଳପୂଜା ଶେଷ ହେବ ।