– ୭ ଦିନରେ ୭ ଘଂଟା ବି ଚାଲିଲାନି
ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.) – ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ୭ଟି କାର୍ଯ୍ୟ ଦିବସ ସ୍ଥିରିକୃତ ହୋଇଥିବାବେଳେ ସମୁଦାୟ ୭ଘଂଟା ବି ଚଳେଇ ନପାରି ବିଧାନସଭାକୁ ବନ୍ଦ କରିଦେଲେ ରାଜ୍ୟ ସରକାର । ବିଧାନସଭା ବନ୍ଦ କରି ସରକାର ପଳାୟନପନ୍ଥୀ ସାଜିଛନ୍ତି । ଆଶ୍ଚର୍ଯ୍ୟର କଥା ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରୁ ଗୋଟିଏ ବି ଷ୍ଟାର ପ୍ରଶ୍ନର ଛିଡା ହୋଇକି ଉତର ରଖିନାହାଁନ୍ତି, ହଠାତ୍ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦବା ପାଇଁ ଗୃହରେ ଲିଖିତ ବିବରଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ଏତେ ଆତ୍ମବିଭୋର ହୋଇଗଲେ ଯେ, ବିରୋଧୀଦଳକୁ କୁତ୍ସାରଟନା କରିବାକୁ ଯାଇ ଜନବିରୋଧୀର ଆଖ୍ୟା ଦେଲେ । ଲୋକେ ଯେତେବେଳେ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି, ସେତେବେଳେ ବିରୋଧୀ ଦଳ ବିଧାୟକମାନେ କିଭଳି ଜନବିରୋଧୀ ହେଲେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀଦଳକୁ ଛାୟା ସରକାର କୁହାଯାଏ । ବିରୋଧୀଦଳ ସବୁବେଳେ ଗଠନ ମୂଳକ ପ୍ରସ୍ତାବ ଦେଇଥାଏ ଓ ରାଜ୍ୟର ସ୍ୱାର୍ଥକୁ ନେଇ ପ୍ରଶ୍ନ ପଚାରିଥାଏ । ଅଧିବେଶନର ପ୍ରଥମ ଦିନରୁ ଆମେ ଲୋକ ପ୍ରତିନିଧିମାନଙ୍କ ସମ୍ମାନ ଓ ରାଜ୍ୟରେ ଅଣଓଡିଆ ବାବୁରାଜର କାୟା ବିସ୍ତାର, ‘ସଚିବ ବଡ ନା ନିର୍ବାଚିତ ପ୍ରତିନିଧି ବଡ’ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲୁ । ସରକାରୀ ଦଳ ଗୃହକୁ ଅଚଳ କଲା । ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ବିରୋଧୀ ଓ ଜନବିରୋଧୀ ବକ୍ତବ୍ୟ ବିରୋଧରେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝି ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ ମଧ୍ୟ ଅଧିବେଶନର ୫ଦିନ ଭିତରେ କୌଣସି ରୁଲିଙ୍ଗ୍ ଦେଇନଥିଲେ । ଅନୁରୂପ ଭାବରେ ୫-ଟି, ସିଏମ୍ଓ ଭି.କେ ପାଣ୍ଡିଆନ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବାକୁ ଯାଇ ବାଚସ୍ପତି ସରକାରୀ ଦଳକୁ ସୁହାଇଲା ଭଳି ଗୃହକୁ ମୁଲତବୀ ରଖୁଥିଲେ । ବିନା ବିରୋଧି ଦଳରେ ବିସ୍ତୃତ ଆଲୋଚନା ନକରି ବିଲ୍ ପାସ୍ କରାଇଲେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ରୋମ୍ର ଭାଟିକାନ ସିଟିକୁ ଯାଇଥିବା ଜଣେ ଭଦ୍ର ମହିଳାଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ସରକାରୀ ଦଳର ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିବା ସହିତ ମୋ ବିରୋଧରେ ଅତ୍ୟନ୍ତ ଆପତିଜନକ ଓ ମୋତେ ଆଘାତ କଲାଭଳି ଅପଶବ୍ଦର ବ୍ୟବହାର କରିଥିଲେ । ପକ୍ଷପାତିତା କରୁଥିବା ବାଚସ୍ପତି ମହାଶୟା ତତ୍କ୍ଷଣାତ ଶ୍ରଦ୍ଧା ଶବ୍ଦକୁ ବିବରଣୀ ବାଦ ଦେବା ପାଇଁ ରୁଲିଙ୍ଗ ଦେଇଥିଲେ, କିନ୍ତୁ ମୋ ବିରୋଧରେ ସରକାରୀ ଦଳ କରିଥିବା ଟିପ୍ପଣୀକୁ ବାଚସ୍ପତି ବାଦ୍ ଦେଇନଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗକୁ ଅଧିବେସନର ଶେଷ ପର୍ଯ୍ୟନ୍ତ ସସ୍ପେଣ୍ଡ କରିବା ବାଚସ୍ପତିଙ୍କ କେଉଁ ପ୍ରକାରର ନ୍ୟାୟ ? ଶ୍ରଦ୍ଧା ବିଷୟ ବିବରଣୀରୁ ବାଦ ଦେଇଥିଲେ କିନ୍ତୁ ଗତକାଲି ଗୃହ ସ୍ୱାଭାବିକ ଅବସ୍ଥାରେ ନଥିଲା ବେଳେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଶ୍ରଦ୍ଧା ପ୍ରସଙ୍ଗରେ ଗୃହରେ ବିବରଣୀ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟ କାହିଁକି ଗୃହର ବିବରଣୀରୁ ବାଦପଡିଲା ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ବିଧାନସଭା ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଂଚା ଦେଉଛନ୍ତି ରାଜ୍ୟ ସରକାର । ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁନାହାନ୍ତି । ସର୍ବଦଳୀୟ ବୈଠକର ନିଷ୍ପତିକୁ ଶାସକ ବିଜେଡିର ସଦସ୍ୟମାନେ ମାନୁନାହାନ୍ତି । ବିରୋଧୀ ଦଳ ଏକ ଛାୟା ସରକାର ଏବଂ ବିରୋଧୀ ଦଳ ନେତା ହେଉଛନ୍ତି ଛାୟା ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ଭାବେ ବକ୍ତବ୍ୟ ରଖିବା ବେଳେ ମାଇକରୁ ସାଉଣ୍ଡ କାଟି ଦିଆଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ କାର୍ଯ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ନାଉରୀ ନାୟକ, ଶଂକର ଓରାମ, ପ୍ରକାଶ ସୋରେନ, ଡ.ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, କେ.ନାରାୟଣ ରାଓ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଭୋଇ, ଭାସ୍କର ମଢେଇ, ସନାତନ ବିଜୁଳି, ଇ.ଗଣେଶରାମ ଖୁଂଟିଆ, ଡା.ବୁଧନ ମୁର୍ମୁ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।