ଭୁବନେଶ୍ୱର, 4 ଅକ୍ଟୋବର: ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ ଟାଇଫସ । ଏବେ ସୁଦ୍ଧା ରାଜ୍ୟରେ 2820 ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି 22077 ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ସ୍କ୍ରବ ଟାଇଫସ ସ୍ଥିତି ସମୀକ୍ଷା କରିବାକୁ କେନ୍ଦ୍ରୀୟ ଟିମ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ଯାଇଥିଲେ । କେନ୍ଦ୍ରୀୟ ଟିମ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛି । 2019ରୁ ଓଡ଼ିଶା ସ୍କ୍ରବ ଟାଇଫସ ଟେଷ୍ଟିଂ କରୁଛି । ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଆମକୁ ଟେଷ୍ଟିଂ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ କେନ୍ଦ୍ରୀୟ ଟିମ୍ ମୌଖିକ ଭାବେ କହିଛନ୍ତି । ଖୁବ ଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।