ଭୁବନେଶ୍ୱର, 4 ଅକ୍ଟୋବର – ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗ ଉପରେ ରହିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆଜିଠାରୁ ବର୍ଷା ର ପରିମାଣ କମିବ । ରାଜ୍ୟ ଉପରୁ ପଶ୍ଚିମବଙ୍ଗର ପଶ୍ଚିମଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ କମୁଥିବାରୁ ରାଜ୍ୟରେ ବର୍ଷାରମାତ୍ରା ଧୀରେ ଧୀରେ ଉଭୟ ବିସ୍ତୃତି ଏବଂ ପରିମାଣରେ ଦୃଷ୍ଟାନ୍ତମୂଳକ ଭାବେ କମିବାରେ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ୨୪ ଘଂଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।