ନୂଆଦିଲ୍ଲୀ, 4 ଅକ୍ଟୋବର : ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍ କରାଯାଇଛି । ରାଇସିନ ହିଲ୍ସ ନିକଟରେ ଥିବା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ସରକାରୀ ବାସଭବନରେ ପହଞ୍ଚିଛି ଇଡି । ପୂରା ଘରେ ତଲାସୀ କରିଛି ଇଡି ।
ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ଦାଖଲ କରାଯାଇଥିବା ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ସାମିଲ ରହିଛି । ଏହି ମାମଲାରେ ସଞ୍ଜୟ ସିଂଙ୍କ ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହାପୂର୍ବରୁ ମଧ୍ୟ ଆମ୍ ଆଦମୀ ପାର୍ଟିର କିଛି ନେତା ତଦନ୍ତ ଏଜେନ୍ସିର ରାଡାରରେ ଅଛନ୍ତି । ଅର୍ଥ ହେରଫେର ଅଭିଯୋଗରେ ଗତବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍କାଳୀନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ତେବେ ଅସୁସ୍ଥ ଦର୍ଶାଇ ସେ ଏବେ ଅନ୍ତରୀଣ ଜାମିନରେ ଅଛନ୍ତି । ଚଳିତବର୍ଷ ଫେବୃୟାରୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ଏହାପରେ ମନି ଲଣ୍ଡରିଂ ମାମଲାରେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି । ସିସୋଦିଆ ଏବେ ଜେଲରେ ଅଛନ୍ତି ।