କୋଲକାତା, 4 ଅକ୍ଟୋବର (ହି.ସ.)ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହିତ ଅନ୍ୟ ନେତାଙ୍କୁ ଦିଲ୍ଲୀରେ ଗିରଫ କରାଯିବା ପରେ ଏପଟେ ରାଜ୍ୟରେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମେଦିନୀପୁରର 60ନମ୍ବର ଜାତୀୟ ରାଜପଥରେ ଶହଶହ ତୃଣମୂଳ କଂଗ୍ରେସ କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୀରଭୂମର ରାମପୁରହାଟ ଛକରେ ମଧ୍ୟ ବିକ୍ଷୋଭ କରିଛନ୍ତି ତୃଣମୂଳ କଂଗ୍ରେସ କର୍ମୀ । ଶିବପୁର, ବେଲୁର, ଡୋମଜୁର ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନାରାବାଜି ଦିଆଯାଇଛି ।
ବକେୟା ଦାବିରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ମଙ୍ଗଳବାର କୃଷିଭବନ ଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସାକ୍ଷାତ କରିବାର ଯୋଜନା ଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରେ ନଥିବାରୁ ତୃଣମୂଳ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଉପସ୍ଥିତ ନଥିଲେ । ଫଳରେ ତୃଣମୂଳ କଂଗ୍ରେସ ନେତା ସେଠାରେ ହିଁ ଧାରଣା ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇ 2ଘଣ୍ଟା ପର୍ଯ୍ୟନ୍ତ ଥାନାରେ ରଖିଥିଳା । ଯାହା ବିରୋଧରେ ପୂରା ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।