ଭୁବନେଶ୍ୱର, 4 ଅକ୍ଟୋବର : ଶ୍ରଦ୍ଧା ସଂପର୍କରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟୀକରଣ ସଦେବା ପରେ ବିବାଦ ବଢିଛି ଶ୍ରଦ୍ଧା ମାମଲାରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ତଦନ୍ତ ଦାବି କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାପାନ ଓ ୟୁଏଇ ପରି ଦେଶକୁ ଯାତ୍ରା କରିଥିଲେ ସୁଦ୍ଧା ସେହି ଦେଶ ମାନଙ୍କୁ ଶ୍ରଦ୍ଧା ଯାତ୍ରା କରି ନାହାନ୍ତି । କେବଳ ଭାଟିକାନକୁ ଯାଇ ପୋପକୁ ସାକ୍ଷାତ କରିବା ସନ୍ଦେହ ଉତ୍ପନ୍ନ କରୁଛି ।
ସେ କହିଛନ୍ତି ଯେ ଶ୍ରଦ୍ଧା ସମ୍ପର୍କରେ ବିଧାନସଭାରେ ସେ ପ୍ରଶ୍ନ କରିବା ପରେ ବାଚସ୍ପତି ତାଙ୍କ ବକ୍ତବ୍ୟକୁ ବିବରଣୀରୁ ବାଦ ଦେଇଥିଲେ । ତେଣୁ ବିବରଣୀରୁ ବାଦ ଦିଆଯିବା ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ବକ୍ତବ୍ୟ ପ୍ରଦାନ କରିବା ପରେ ତାହାକୁ ମଧ୍ୟ ବିବରଣୀରୁ ବାଦ ଦିଆଯିବା ଆବଶ୍ୟକ ଥିଲା ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଫେଇ ଦେଲେ ସେ ତାଙ୍କ ଫିଜିଓଥେରାପିଷ୍ଟ । ଏହା ପୂର୍ବରୁ ଶ୍ରଦ୍ଧା କେଉଁଠି ଓ କଣ କାମ କରୁଥିଲେ । ସେ ଫିଜିଓ ଥେରାପିଷ୍ଟ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ କ୍ଲିୟରାନ୍ସ ଦେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ତାଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିଛି କି ନାହିଁ ବୋଲି ସେ ପଚାରିଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତା, ତାଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଏ ସମସ୍ତ ବିଷୟରେ ତଦନ୍ତ ହେବା ଦରକାର ସେ କହିଛନ୍ତି ।