ଗ୍ୟାଙ୍ଗଟକ, 4 ଅକ୍ଟୋବର : ଉତ୍ତର ସିକ୍କିମର ଲ୍ହୋନକ ଲେକ୍ରେ ବାଦଲ ଫାଟିବା କାରଣରୁ ପ୍ରବଳ ବର୍ଷା ହୋଇଛି । ଫଳରେ ଲୋଚନ ଘାଟିରେ ଥିବା ତିସ୍ତା ନଦୀର ଜଳସ୍ତର ହଠାତ ବଢିଯାଇଥିଲା । ନଦୀରେ ବନ୍ୟା ଆସିବା କାରଣରୁ ପ୍ରାୟ 23ଜଣ ଯବାନ ନିଖୋଜ ହୋଇଥିବାର ଆଶଙ୍କା କରାଯାଉଛି । ଏନେଇ ଆସାମରର ରାଜଧାନୀ ଗୌହ୍ୱାଟୀରେ ପ୍ରତିରକ୍ଷା ମନ୍ତ୍ରାଳୟର ଲୋକସମ୍ପର୍କ ଅଧିକାରୀ ନିଜ ସୋସିଆଲ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।
ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଉତ୍ତର ସିକ୍କିମର ଲ୍ହୋନକ ହ୍ରଦରେ ଉପରେ ଅଚାନକ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ତିସ୍ତା ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା । ଘାଟିରେ ଥିବା ସେନା ଅଫିସ ମଧ୍ୟ ପ୍ରଭାବିତ ହୋଇଛି । 23ଜଣ ସେନା ଯବାନ ନିଖୋଜ ହେବା ସହ କିଛି ଯାନବାହନ ବୁଡିଯାଇଥିବାର ସୂଚନା ମିଳିଛି । ଉତ୍ତର ସିକ୍କିମର ମୁଗୁଥାଙ୍ଗରେ ବନ୍ୟା ଯୋଗୁ ଡିକଚୁ ଓ ଟୁଙ୍ଗୁରେ ଥିବା ଦୁଇଟି ପୋଲି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚୁଙ୍ଗଥାଙ୍ଗ ବନ୍ଧରୁ ପାଣି ଛଡାଯିବା ଯୋଗୁ ତଳେ ପ୍ରାୟ 15ରୁ20 ଫୁଟର ଜଳସ୍ତର ବୃଦ୍ଧି ପାଇଥିଲା । ଏହାଯୋଗୁ ତଳିଆ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।