ଭୁବନେଶ୍ୱର : ମଙ୍ଗଳବାର ଦିନ ମଧ୍ୟ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଥମାର୍ଧ ବାଧାପ୍ରାପ୍ତ ହୋଇଛି । ଦୁଇ ଜଣ ବିରୋଧୀ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଓ ଜନ ବିରୋଧୀ ଶବ୍ଦ ହଟାଇବା ଦାବିରେ ଗୃହରେ ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ କରିବା କାରଣରୁ ବାଚସ୍ପତି ପ୍ରମିଳା ମଲିକ ଗୃହକୁ ଚାରିଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି । ଏହି କାରଣରୁ ଆଜି ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ଆଦି ହୋଇ ପାରି ନାହିଁ ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ମାତ୍ର ବିଜେପି ବିଧାୟକ ମାନେ ଦୁଇ ଜଣ ବିଧାୟକଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ଜନବିରୋଧୀ ଶବ୍ଦ ବାଦ୍ ଦେବାକୁ ଦାବି କରି ନାରାବାଜି କରିଥିଲେ । ସେମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।