ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ସୋମବାର ରାଜଘାଟ ସ୍ଥିତ ବାପୁଙ୍କ ସମାଧିରେ ପୁଷ୍ପ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥି ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସେ ବିଜୟ ଘାଟ ମଧ୍ୟ ଯାଇଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ପବିତ୍ର ତିଥିରେ ବାପୁଜୀଙ୍କୁ ମନେ ପକାଇ ଏକ୍ସ ହେଣ୍ଡେଲରେ ଲେଖିଛନ୍ତି ଯେ, ଅହିଂସା ଏବଂ ସୌହାର୍ଦ୍ଧ୍ୟର ରାସ୍ତା, ଭାରତକୁ ଯୋଡିବାର ରାସ୍ତା ମହାତ୍ମା ଗାନ୍ଧି ଦେଖାଇଥିଲେ । ବାପୁଙ୍କୁ ତାଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ ।
ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି, ସେ କହିଛନ୍ତି ଯେ, ଜୟ ଯବାନ, ଜୟ କିଶାନ ନାରା ଦ୍ୱାରା ଶାସ୍ତ୍ରୀଜୀ ଦେଶର ଦୁଇ ବଡ ତପସ୍ଵୀ ବର୍ଗଙ୍କୁ ସଶକ୍ତ କରିବାର କାମ କରିଥିଲେ । ଶାସ୍ତ୍ରୀ ଦେଖାଇଥିବା ରାସ୍ତା ଆମକୁ ଭାରତର ପ୍ରତ୍ୟେକ ପରିଶ୍ରମୀ ନାଗରିକଙ୍କୁ ତାଙ୍କର ଅଧିକାର ଦେବାକୁ ପ୍ରେରିତ କରିଥାଏ ।
ଏଥି ସହିତ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ସଂସଦ ପରିସରରେ ମଧ୍ୟ ବରିଷ୍ଠ ନେତାଙ୍କ ସହିତ ଗାନ୍ଧି ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।