ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି କରି ସହର ପରିକ୍ରମା କରିଥିଲେ । ସକାଳ ୭ଟା ୩୦ରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ମହେନ୍ଦ୍ର ମହାପାତ୍ର, ପ୍ରକଳ୍ପ ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ବଲାଙ୍ଗିର ସହରର ବହୁ ବିଶିଷ୍ଟ ବ୍ୟକ୍ତି ତଥା ଜନସାଧାରଣ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରତିମୂର୍ତ୍ତି ସ୍ଥଳରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରାର୍ଥନା ସଭାରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଗୀତା ପାଠ, ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ ଓ ଗ୍ରନ୍ଥି ଜସବିର ସିଂ ଗ୍ରନ୍ଥ ସାହେବ ପାଠ ଏବଂ ଫାଦର ଆଚାର୍ଯ ଇମାନୁଏଲ ଦାନୀ ବାଇବେଲ ପାଠ କରିଥିଲେ ।
ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିନ୍ଦିଆ ବେହେରା ପ୍ରଥମ, ସ୍ଵାତି ଅମ୍ରିତା ମହାନ୍ତି ଦ୍ଵିତୀୟ, ନୈତିକ ଦାଶ ଏବଂ ସାଇ ସ୍ଵରୂପ ପଟେଲ ତୃତୀୟ ହେଇଥିଲା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ରୀଷ୍ଣାରାଜ ରଥ ପ୍ରଥମ, ପ୍ରିୟଙ୍କା ମହାପାତ୍ର ଦ୍ଵିତୀୟ ଏବଂ ପ୍ରତୀକ୍ଷା ସାହୁ ତୃତୀୟ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସନ୍ଧ୍ୟାରେ ପତିତପାବନ ଏକାଡେମୀ ହଲ ରେ”ସାଂପ୍ରତିକ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା” ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ଵେ ବିଭିନ୍ନ ବିଦ୍ୟାଳୟରୁ ସଭାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଜନସାଧାରଣ ଉପସ୍ଥିତ ରହିବା ସହ ଗାନ୍ଧୀ ଭଜନ ପରିବେଷଣ କରିଥିଲେ ।