ଚମ୍ପୁଆ : ସରକାର ଯୋଜନା ଉପରେ ଯୋଜନା କରି ରାସ୍ତା କଡରେ ବଡ଼ ବଡ଼ ହୋଡିଂ ଓ ବ୍ୟାନର ମାରି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଚମ୍ପୁଆର ଗ୍ରାମାଞ୍ଚଳରେ ରାସ୍ତା ଘାଟର ଅବସ୍ଥା ତଥା କଥିତ ବିକାଶର ବିକଳ ଚିତ୍ରକୁ ପଦାରେ ପକାଇଛି। ରାସ୍ତା ଘାଟର ଦୁରାବସ୍ଥା ଓ ଦୟନୀୟ ଅବସ୍ଥା କାରଣରୁ ଗ୍ରାମାଞ୍ଚଳ ବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଗାଁ ମାନଙ୍କୁ ରାସ୍ତାର ସୁବିଧା ନ ଥିବାବେଳେ ଅନେକାଂଶରେ ରାସ୍ତା ଥିଲେ ମଧ୍ୟ ସେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଥିବାରୁ ଗୁରୁତର ରୋଗୀକୁ ଡାକ୍ତରଖାନା ନେବାପାଇଁ ଗାଁ କୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନାହିଁ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ର ଶେଖରପୁର ପଞ୍ଚାୟତ କାର୍ଯ୍ୟାଳୟର ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ବାଲେଶ୍ଵର ଗାଁ। ପଞ୍ଚାୟତ କାର୍ଯ୍ୟାଳୟ ନାକ ତଳେ ଥିଲେ ବି ଏ ଗାଁ ପ୍ରତି ପଞ୍ଚାୟତ କର୍ତୁପକ୍ଷଙ୍କ ନଜର ପଡି ନାହିଁ। ଗାଁ କୁ ରାସ୍ତା ତ ଅଛି ହେଲେ ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବାରୁ ଗମନାଗମନ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏହି ରାସ୍ତାରେ ସାଇକେଲ, ମୋଟର ସେଇକେଲ ଯିବା ତ ଦୂରର କଥା ପାଦରେ ଚାଲିକରି ଯିବା ଆସିବା କରିବା ଯମ ଯନ୍ତ୍ରଣା ଦେଉଥିବା ବେଳେ ପଞ୍ଚାୟତ ପ୍ରଶାସନର ନିରବତା ଗ୍ରାମରେ ଅସନ୍ତୋଷକୁ ପୁଞ୍ଜିଭୂତ କରୁଛି।
ନିକଟରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଗ୍ରାମକୁ ପକ୍କା ସଡ଼କ ଯୋଗାଇ ଦିଆଯାଇ ଖୋଦ୍ ବିଧାୟକଙ୍କ ମାଧ୍ୟମରେ ଆଡ଼ମ୍ବର ସହକାରେ ଏଗୁଡିକର ଉଦଘାଟନ କରାଯାଇଛି। ମାତ୍ର ଏହି ଯୋଜନାରୁ ମଧ୍ୟ ଏହି ଗାଁ ରାସ୍ତା ବାଦ୍ ପଡିବା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି। ତେବେ କେବେ କେତେ ଦିନେ ଏହି ରାସ୍ତାର ଭାଗ୍ୟ ବଦଳିବ ତାହା ଦେଖିବାକୁ ବାକି ରହିଲା।