ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନିକଟରେ ରହିଥିବା ଏପଡିପି କଲୋନୀରେ ଥିବା ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପାଚେରୀକୁ ଲାଗି ସ୍ଥାନୀୟ ଲୋକଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ପକ୍ଷରୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ଷ୍ଟାଣ୍ଡ ପୋଷ୍ଟ କରାଯାଇଛି। ଉକ୍ତ ଷ୍ଟାଣ୍ଡ ପୋଷ୍ଟରୁ ଯେଉଁ ପାଣି ବାହାରୁଛି ତାହା ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏହି ଜଳ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଚେରୀ ନିକଟରେ ଜମିରହି ସମ୍ପୃକ୍ତ ଅଞ୍ଚଳ କାଦୁଅ ଓ ପଙ୍କରେ ଭର୍ତି ହୋଇଗଲାଣି। ଯାହାଫଳରେ ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଉଛି। ଏଠାକୁ ପ୍ରାକ ଶିକ୍ଷା ପାଇଁ ଆସୁଥିବା କୁନିକୁନି ପିଲାମାନେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ନହେବେ ତାହା କିଏ କହି ପାରିବ। ବେଳ ଥାଉ ଗ୍ରାମପଞ୍ଚାୟତ ପକ୍ଷରୁ ଅଙ୍ଗନବାଡି ପାଚେରୀ ପାଖରେ ଜମି ରହୁଥିବା ପାଣି ନିଷ୍କାସନ ନିମନ୍ତେ ସଠିକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି।