ଗଞ୍ଜାମ : ରାଜ୍ୟରେ ବଢୁଥିବା ସାଇବର୍ ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା ପକ୍ଷ ପାଳନ ପାଇଁ ପଦକ୍ଷେପ ନିଆଯାଇଛି । ଗତ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରରେ ଏନେଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ସାରା ରାଜ୍ୟ ପରିକ୍ରମା କରିବ । ଆଜି ବ୍ରହ୍ମପୁରରେ ଏହି ରଥ ପହଂଚିବ । ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଜିଲ୍ଲା ପୋଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ସାଇବର୍ ଅପରାଧକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯିବ । ସହର ଓ ଗାଁ ମାନଙ୍କର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନ, ହାଟ ଆଦି ସ୍ଥାନରେ ଏନେଇ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ପ୍ରଥମ ସପ୍ତାହରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଯିବ । ଦ୍ଵିତୀୟ ସପ୍ତାହରେ ଅନ୍ୟ ବର୍ଗର ଲୋକଙ୍କୁ ଏନେଇ ସଚେତନ କରାଯିବ । ଏଥିପାଇଁ କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ୩୦ଟି ସଚେତନତାଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ସେଗୁଡିକ ପ୍ରଦର୍ଶିତ କରାଯିବ । ଆଶାଦିଦି, ଅଙ୍ଗନବାଡ଼ି କର୍ମୀ, ଏନସିସି କ୍ୟାଡେଟ୍, ରେଡ଼କ୍ରସ ସ୍ଵେଚ୍ଛାସେବୀମାନେ ଏଥିରେ ସହଯୋଗ କରିବେ ।