ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି ।
ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରିବହନ ଏବଂ ବ୍ୟବସାୟକୁ ସହଜ କରିବ, ଏହା ଏହି ରାଜ୍ୟ ଗୁଡିକରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବ ।
ଏହି କରିଡରରେ ୮ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍, ୫ଟି ବୃହତ ଖାଦ୍ୟ ପାର୍କ, ୪ଟି ମାଛଧରା ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର, ୩ଟି ଔଷଧ ଓ ମେଡିକାଲ କ୍ଲଷ୍ଟର ଏବଂ ୧ଟି ବୟନ କ୍ଲଷ୍ଟର ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଚିହ୍ନଟ କରାଯାଇଛି । ଏହା ଦ୍ୱାରା ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ପଥ ଉନ୍ମୁକ୍ତ ହେବ ।
ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବନ୍ଦରକୁ ନେବା ପାଇଁ ତେଲଙ୍ଗାନା ଭଳି ସ୍ଥଳଭାଗ ଦ୍ୱାରା ଆବଦ୍ଧ ରାଜ୍ୟ ନିମନ୍ତେ ରେଳ ଓ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏସବୁ ପ୍ରକଳ୍ପ ଏହି ରାଜ୍ୟକୁ ପୂର୍ବ ଓ ପଶ୍ଚିମ ଉପକୂଳ ସହ ଯୋଡ଼ିବାର ମାଧ୍ୟମ ହେବ । ହାଇଦ୍ରାବାଦ ବିଶାଖାପାଟଣା କରିଡରର ସୂର୍ଯ୍ୟପେଟ – ଖମ୍ମାମ ବିଭାଗ ମଧ୍ୟ ଏଥିରେ ସାହାଯ୍ୟ କରିବ । ଏହା ପୂର୍ବତଟରେ ପହଞ୍ଚିବାରେ ସହାୟକ ହେବ । ଏହା ବ୍ୟତୀତ ଶିଳ୍ପ ଓ ବ୍ୟବସାୟର ଲଜିଷ୍ଟିକ୍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଜାକଲାଇର ଓ କ୍ରିଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ୍ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।
ତେଲଙ୍ଗାନାର ହଳଦୀ ଚାଷୀ ମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଏବଂ କୃଷକ ମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତେଲଙ୍ଗାନା ଏବଂ ସମଗ୍ର ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶକ୍ତି ଏବଂ ଶକ୍ତି ନିରାପତ୍ତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ଏହା କହିଥିଲେ ଯେ ସରକାର କେବଳ ଶିଳ୍ପ ପାଇଁ ନୁହେଁ ବରଂ ପରିବାର ଗୁଡିକୁ ମଧ୍ୟ ଶକ୍ତି ସୁରକ୍ଷିତ କରିଛନ୍ତି । ୨୦୧୪ରେ ଏଲ୍ପିଜି ସିଲିଣ୍ଡର ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୩ ରେ ଏହା ୩୨ କୋଟିକୁ ବୃଦ୍ଧି ପାଇବାର ଉଦାହରଣ ଦେବା ସହ ନିକଟରେ ଗ୍ୟାସ ଦର ହ୍ରାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । “ସରକାର ଦେଶରେ ଏଲ୍ପିଜି ବିତରଣ ନେଟୱାର୍କର ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେଉଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ହାସନ – ଚେର୍ଲାପଲ୍ଲୀ ଏଲ୍ପିଜି ପାଇପଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଲୋକ ମାନଙ୍କୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କୃଷ୍ଣପାଟନମରୁ ହାଇଦ୍ରାବାଦ ମଧ୍ୟରେ ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନର ଶିଳାନ୍ୟାସ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ତେଲଙ୍ଗାନାରେ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅନେକ କୋଠାକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟକୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ର ମାନ୍ୟତା ଦେବା ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । “ଭାରତ ସରକାର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ବିଶ୍ୱ ବିଦ୍ୟାଳୟର ନାମ ଶ୍ରଦ୍ଧାଳୁ ଆଦିବାସୀ ଦେବୀ ସାମ୍ମାକ୍କା – ସାରକ୍କାଙ୍କ ନାମରେ ରଖାଯିବ । ସାମ୍ମାକ୍କା – ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଶ୍ରୀ ମୋଦୀ ମଧ୍ୟ ତେଲଙ୍ଗାନାର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ସାଂସଦ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।