ଭୁବନେଶ୍ୱର : ୨୦୨୩ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୬୫୧.୫୮ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ୨୦୨୨ ମସିହା ସେପ୍ଟେମ୍ବର ମାସରେ ୧୧୫୭.୦୮ କୋଟି ଟଙ୍କା ଥିଲା । ଏ ଦିଗରେ ୪୧.୭୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି । ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ୧୦୪୪୦.୭୪ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ଏ କ୍ଷେତ୍ରରେ ବୃଦ୍ଧି ହାର ରହିଛି ୨୩.୨୪ ପ୍ରତିଶତ ।
ଅପରପକ୍ଷରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସଟି ବାଦକୁ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୯୨୬.୯୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୨୯.୧୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇ ପାରିଛି ।
ଯଦି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି ସମନ୍ୱିତ ଜିଏସଟି ରାଜ୍ୟ ଜିଏସଟି ଅତିରିକ୍ତ ଟିକସ ବା ସେସ) ସଂଗ୍ରହକଥା ବିଚାର କରାଯାଏ, ତେବେ ଦେଖାଯିବ ଯେ ଏ ବାବଦରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶା ୪୨୪୯.୧୨ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୭୬୫.୧୭ କୋଟି ଟଙ୍କା । ଏ କ୍ଷେତ୍ରରେ ୧୨.୮୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।