କଟକ/ଭୁବନେଶ୍ୱର : କଟକ ଚୌଧୁରୀ ବଜାରରେ ଥିବା ଏକ ଲୁଗାଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ୯ଟି ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ କରିଛନ୍ତି । ନିଆଁରେ ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୋକାନରେ ବହୁ ପରିମାଣର ଶାଢ଼ୀ, କପଡ଼ା ଏବଂ ପ୍ଲାଷ୍ଟିକ ଇେଂଟରିୟର୍ ଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ତେବେ ଅଗ୍ନିକାଣ୍ଡ ସକାଳସମୟରେ ଘଟିଥିବାରୁ ଗହଳି ନଥିଲା । ଫଳରେ ବଡ ଧରଣର ଅଘଟଣ ଟଳିଯାଇଛି ।
କଟକ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳ କହିଛନ୍ତି ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପକ୍ଷରେ ଡେପୁଟି ଫାୟାର ସେଫ୍ଟି ଅଧିକାରୀ କହିଛନ୍ତି, ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା ଯଥେଷ୍ଟ ନଥିଲା । ଫାୟାର ସେଫ୍ଟି ବ୍ୟବସ୍ଥା ଯଥେଷ୍ଟ ନଥିବାରୁ ବଡ଼ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା ।
ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । ପରେ ନିଆଁଟି ପ୍ରଥମ, ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଇଥିଲା । ଏହାସହ ସହ ସ୍କାଏ ଲିଫଟ୍ ସହାୟତାରେ ଭିତର ଯାଏଁ ପାଣି ସ୍ପ୍ରେ କରାଯାଇଥିଲା । କୋଠାର ବିଭିନ୍ନ ଆଡ଼ୁ ଚଢ଼ି ଭିତରକୁ ପଶି ନିଆଁକୁ ଆୟତ ଚେଷ୍ଟା କରିବାକୁ ଚେଷ୍ଟା କରିଥିଲେ ।