ଭୁବନେଶ୍ୱର : ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ବଡ଼ ଜନ ବିରୋଧୀ ।ବିକାଶର ସବୁଠୁ ବଡ ବାଧକ ହେଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କୁ ଯିଏ ବିରୋଧ କରିବ ସେ ଗୃହକୁ ଆସି ପାରିବ ନାହିଁ ବୋଲି ସେ କହିଛନ୍ତି । ତାଙ୍କ ଦୟାରେ ଆମେ ବିଧାନସଭାକୁ ଆସିନାହୁଁ । ସେ କେମିତି ବିଧାନସଭାକୁ ଫେରିବେ ଏକଥା ମୁଖ୍ୟମନ୍ତ୍ରୀ ଚିନ୍ତା କରନ୍ତୁ ବୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଗତକାଲି ଗୃହରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି ଉପରେ ଶ୍ରୀ ମିଶ୍ର ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କିଏ ଜିତିବ କିଏ ହାରିବ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେନାହିଁ । ତଥାପି ସେ ପ୍ରଭାବିତ କରିବାକୁ ବହୁ ଚେଷ୍ଟା କରୁଛନ୍ତି । ବୁଥ୍ କ୍ୟାପଚର କରୁଛନ୍ତି, ସରକାରୀ କଳକୁ ବ୍ୟବହାର କରୁଛନ୍ତି । ଆମେ ଲୋକଙ୍କ ଦୟାରେ ବିଧାନସଭାକୁ ଆସିଛୁ ତାଙ୍କ ଦୟାରେ ନୁହେଁ ।
ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି । ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ । ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତାଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି । ଆମ ସରକାର ଓଡ଼ିଶାକୁ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ରେ ପରିଣତ କରିବାକୁ ଆଗକୁ ବଢ଼ିବ ।