କନ୍ଧମାଳ : ସାଇବର ଅପରାଧ ଏବେ ଖୁବ୍ ଦୃତ ଗତିରେ ବଢ଼ିଚାରେ ଲାଗିଛି । ସମାଜରେ ବିଶେଷ କରି ବରିଷ୍ଠ ନାଗରିକ, ମହିଳା, ଯୁବଗୋଷ୍ଠୀ ତଥା ଛାତ୍ର ସମାଜ ମଧ୍ୟରେ ଏହି ସାଇବର ଅପରାଧ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର ଓ ସୁରକ୍ଷା ଅଭ୍ୟାସ ଉପରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଅପରାଧ ତଦନ୍ତ ବିଭାଗର କ୍ରାଇମବ୍ରାଞ୍ଚ ଦ୍ଵାରା ଓଡ଼ିଶାରେ ସାଇବର ସୁରକ୍ଷା ଅଭିଯାନ- ୨୦୨୩ ଆୟୋଜନ କରାଯାଉଛି ଯାହା ଚଳିତ ମାସ ୩୦ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି । ଏହି ଅଭିଯାନ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ ରେ ବ୍ୟାପକଭାବେ ଆୟୋଜନ କରାଯିବ ଯେପରିକି ଯେତେ ଅଧିକ ସମ୍ଭବ ଲୋକଙ୍କ ପାଖରେ ପହଞ୍ଚିପାରିବ। ସେଥିପାଇଁ ୩.୧୦.୨୦୨୩ ରୁ ୧୩.୧୦୨୦୨୩ ମଧ୍ୟରେ ପ୍ରତିଦିନ ଅତି କମ୍ରେ ଦୁଇଟି ଶିକ୍ଷାନୁଷ୍ଠାନରେ କୁଇଜ୍ ପ୍ରତିଯୋଗିତା/ସାଇବର ସୁରକ୍ଷା ଉପରେ କର୍ମଶାଳା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ । ଚଳିତ ମାସ ୩୦ ତାରିଖରୁ ୩୪ ଗୋଟି ସାଇବର ସୁରକ୍ଷା ରଥ ଭୁବନେଶ୍ୱରରୁ ବାହାରି ରାଜ୍ୟସାରା ବୁଲିବ । ବୁଲିବା ସମୟରେ ପ୍ରତି ବ୍ଲକ ଓ ପୋଲିସ ଷ୍ଟେସନ ସଦରମହକୁମାରେ ଶ୍ରାବ୍ୟ ଦୃଶ୍ୟ, ପ୍ରଚାର ପତ୍ରିକା ମାଧ୍ୟମରେ ସାଇବର ସଚେତନତା ବା ପ୍ରଚାର କରିବ। ଅକ୍ଟୋବର ୧୫ ତାରିଖ ଦିନ ଜିଲ୍ଲା ସଦର ମହକୁମାରେ ସମାପନ ସମାରୋହ କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ପୋଲିସକୁ ପ୍ରମୁଖ ବ୍ୟାଙ୍କ ସମୂହ, ଆଇ.ଟି. ସେକ୍ଟର ସହଯୋଗ କରୁଥିବାବେଳେ, ଭାରତ ସରକାରଙ୍କର ସାଇବର ଅପରାଧ ସମନ୍ଵୟ କେନ୍ଦ୍ର, ୟୁନିସେଫ୍ ଟେଲିକମ୍ ସେବା ପ୍ରୋଭାଇଡର୍, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଭଳି କେତେଗୁଡ଼ିଏ ସଂଗଠନ ଓ ଅନୁଷ୍ଠାନ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ ବୋଲି ପାତ୍ର ସୂଚନା ଦେଇଥିଲେ । ତେବେ, ଗଣମାଧ୍ୟମ ପ୍ରସାରଣ ମାଧ୍ୟମରେ ବ୍ୟାପକ କଭରେଜ ଏହି ଅଭିଯାନକୁ ସମଗ୍ର ଦେଶରେ ତରଙ୍ଗ ସୃଷ୍ଟି କରିପାରିବ ବୋଲି ଏସପି ପାତ୍ର କହିଥିଲେ ।ପାୱାର ପଏଣ୍ଟ ମାଧ୍ୟମରେ ଆରକ୍ଷୀ ଅଧୀକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଇଣ୍ଟରନେଟ- ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ ବ୍ୟବହାରର ନୈତିକ ନିୟମ, ସୋସିଆଲ୍ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଗେମିଙ୍ଗ ଆପ୍ଲିକେସନ, ଆର୍ଥିକ କାରବାର ଜନିତ ସୁରକ୍ଷା, ଶିଶୁ ଫଟୋଗ୍ରାଫି , ପ୍ରତିଶୋଧମୂଳକ ପନୌଗ୍ରାଫି ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି, କେୱାଇସି/ଆଧାର/ପ୍ୟାନ ସମ୍ପର୍କୀତ ଠକେଇ, ସର୍ଚ୍ଚ ଇଞ୍ଜିନର ବ୍ୟବହାର ଠକେଇ, ନିଯୁକ୍ତି ଠକେଇ,ଲୋନ୍ ଆପ୍ ଠକେଇ, ମାଟ୍ରିମୋନିଆଲ୍ ଠକେଇ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା କରିଥିଲେ। ତେବେ, ଆଇନ ଅସମ୍ମତ ଯୋଗାଯୋଗ ବା ଗତିବିଧି ନେଇ ୧୯୩୦ ରେ କଲ୍ କରିପାରିବେ କିମ୍ବା www.cybercrime.gov.in ରେ ଲଗଇନ୍ କରି ସୂଚନା ଦେଇପାରିବେ । ଏହା ସର୍ବଦା ମନେରଖିବା ଦରକାର ଯେ, ଇଣ୍ଟରନେଟ ଥରେ ଆପଣଙ୍କ ବ୍ୟକ୍ତିଗତ ଓ ସମ୍ବେଦନଶୀଳ ତଥ୍ୟ ପାଇବା ପରେ ଆପଣଙ୍କ ହାତରେ କିଛି ନଥାଏ । ତେଣୁ ନିଜକୁ ସୁରକ୍ଷିତ ଭାବରୁ ନାହିଁ । ସାଇବର ଅପରାଧର ଶିକାର ଯେ କେହି ହୋଇପାରନ୍ତି । ତେଣୁ ସର୍ବଦା ସଜାଗ ରହିବାକୁ ଆରକ୍ଷୀ ଅଧୀକ୍ଷକ ପାତ୍ର ପରାମର୍ଶ ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ କୁମାର ପଟ୍ଟନାୟକ, ଉପ-ଆରକ୍ଷୀ ଅଧୀକ୍ଷକ (ଡି.ଆଇ.ବି.) ପ୍ରଭାତ କୁମାର ସେଠୀ, ଉପ-ଆରକ୍ଷୀ ଅଧୀକ୍ଷକ କେ.କେ.ପଣ୍ଡା, ସାଇବର ପୋଲିସ୍ ଷ୍ଟେସନ୍ ଆଇ.ଆଇ.ସି. ଶ୍ରୀ ତରୁଣ ତପନ ବେହେରା, ରଜର୍ଭ ପୋଲିସ୍ ଇନ୍ସପେକ୍ଟର ଶ୍ରୀ ବୀର ସେନ ଶବର , ଫୁଲବାଣୀ ଟାଉନ ଥାନା ଆଇ.ଆଇ.ସି. କନକ ମାଝିଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।