ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ସରକାରଙ୍କ ରାଜସ୍ବରୁ କୋଟି କୋଟି ବ୍ୟୟ ଅଟକଳରେ ନୂତନ ଭାବେ ନିର୍ମାଣ ହେଉଛି ବସଷ୍ଟାଣ୍ଡ । ଉକ୍ତ ବସଷ୍ଟାଣ୍ଡ କାର୍ଯ୍ୟ ଅତି ନିମ୍ନମାନର ଚାଲିଥିବା ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନର ନିଦ ଭାଙ୍ଗିଲା ନାହିଁ, ବାଧ୍ୟ ହୋଇ ଗୁରୁବାର ଦିନ କାର୍ଯ୍ୟ ବନ୍ଦ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ସୂଚନା ମୁତାବକ, ଏଠାରେ ବସଷ୍ଟାଣ୍ଡ ନଥିବା କାରଣରୁ ଲୋକଙ୍କ ସମେତ ବସ୍ ଗୁଡ଼ିକ ରହିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଯାହାକୁ ନେଇ ଫାଇଭ-ଟି ଅଧିନରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ସତ ହେଲେ ଏହାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ କାର୍ଯ୍ୟରେ ସରକାରୀ ବାବୁଙ୍କ ଦର୍ଶନ ମିଳୁନଥିବା ବେଳେ ଠିକାଦାର ମନମୁଖି ଭାବେ ବାଲିରେ କମ୍ ମାତ୍ରାରେ ସିମେଣ୍ଟ ମିଶାଇ କାର୍ଯ୍ୟ ଶେଷ କରିବାକୁ ବସିଛି । ଅନ୍ୟପଟେ ଠିକାଦାର ଲାଭବାନ ହେଉଥିବା ବେଳେ ଆଗାମୀ ଦିନରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବେ । ବସଷ୍ଟାଣ୍ଡ ମଧ୍ୟରେ ବସ୍ ପ୍ରବେଶ ନକରିବା ପୂର୍ବରୁ ଭିତରେ ଲାଗିଥିବା ସିମେଣ୍ଟ ଟାଇଲ୍ସ୍ ଦବି ଗଲାଣି, ତ କେଉଁ ସ୍ଥାନରୁ କଂକ୍ରିଟ ଫାଟି ଧୋଇ ହୋଇଗଲାଣି । ସିମେଣ୍ଟ ଭାଗ କମ୍ ଦେଇ ମେଣ୍ଟାଲ ଓ ଚିପ୍ସ ସହ ଅଧିକ ମାତ୍ରାରେ ବାଲି ମିଶାଇ କଂକ୍ରିଟ କରିଥିବା ବେଳେ ଉକ୍ତ ଢଳେଇ ଭାଙ୍ଗିବାକୁ ବସିଲାଣି । ବସଷ୍ଟାଣ୍ଡ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ବେଳ ଥାଉ ଏହାର ସଠିକ୍ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଆଗାମୀ କାଲିରେ ବିପଦକୁ ରୋକା ଯାଇପାରିବ । ନଚେତ୍ ବସଷ୍ଟାଣ୍ଡ ଶୁଭ ଉଦ୍ଘାଟନ ପରେ କ”ଣ ଯେ ହେବ ତାହା କାର୍ଯ୍ୟକୁ ଦେଖିଲେ ଅନୁମେୟ କରି ହେଉଛି ।