ଭୁବନେଶ୍ୱର, 28 ସେପ୍ଟେମ୍ବର – ବର୍ତମାନ ରାଜ୍ୟରେ ଜାରି ହୋଇଥିବା ବିଭିନ୍ନ ବର୍ଗର ଶ୍ରମିକ କର୍ମଚାରୀ, ଆଶାକର୍ମୀ, ମଧ୍ୟାହ୍ନଭୋଜନ କର୍ମୀ, ଅଙ୍ଗନୱାଡି ସମେତ ସମସ୍ତ ସ୍କିମ ଶ୍ରମିକ, ଶିକ୍ଷକ, ଆୟୁଷ ଡାକ୍ତର ଓ ସମସ୍ତ ଶ୍ରମିକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତି ସିଆଇଟିୟୁ ରାଜ୍ୟ କମିଟି ଦୃଢ ସମର୍ଥନ ଘୋଷଣା କରିଛି ।
ସ୍କିମ ସମେତ ସମସ୍ତ ଶ୍ରମିକମାନଙ୍କର ଦୈନିକ ମଜୁରି ୧୦୦୦ ଟଙ୍କା କରିବାକୁ ଦାବି କରିବା ସହିତ ସାମ୍ବାଦିକ, ସମ୍ବାଦପତ୍ର କର୍ମଚାରୀ ଓ ବିଭିନ୍ନ ଅସଂଗଠିତ ଶ୍ରମିକମାନଙ୍କୁ ରାଜ୍ୟ ସରକାର ତାଲିକାଭୁକ୍ତ ନିଯୁକ୍ତି ଅର୍ନ୍ତଭୁକ୍ତ ଘୋଷଣା କରି ସେମାନଙ୍କୁ ସର୍ବନିମ୍ନ ମଜୁରି ଆଇନ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି ।
ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସର୍ବନିମ୍ନ ମଜୁରି ବୃଦ୍ଧି କରିବାର ନିୟମ ଥିଲେବି ତାହା କରାଯାଉ ନାହିଁ । ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଅହେତୁକ ଭାବେ ବହୁଗୁଣ ବୃଦ୍ଧି ପାଇଛି । ଜୀବନଧାରଣ ମୂଲ୍ୟ ବଢି ଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଯୋଗୁ ଟିକସର ବୋଝ ସାଧାରଣ ଶ୍ରମିକ ଉପରେ ଲଦି ଦିଆଯାଉଛି । କିନ୍ତୁ ସର୍ବନିମ୍ନ ମଜୁରି ଆଇନ୍- ୧୯୪୮ ଅନୁସାରେ ସର୍ବ ନିମ୍ନ ମଜୁରି ଧାର୍ଯ୍ୟ କଳାବେଳେ କତୃପକ୍ଷ ଏ ବିଷୟ ବିଚାରକୁ ନେଉନାହାନ୍ତି ।
ଏଣୁ ରାଜ୍ୟ ସରକାର ଅବିଳମ୍ବେ ସର୍ବନିମ୍ନ ମଜୁରି ପରାମର୍ଶଦାତା ବୋର୍ଡ ବୈଠକ ଡକାଇ ସର୍ବନିମ୍ନ ମଜୁରି ମାସିକ ୨୬୦୦୦ ଟଙ୍କା ବା ଦୈନିକ ୧୦୦୦ ଟଙ୍କା ଓ ସ୍କିମ ଶ୍ରମିକ, ସାମ୍ବାଦିକ, ସମ୍ବାଦପତ୍ର କର୍ମଚାରୀ ଓ ଅନ୍ୟାନ୍ୟ ଅସଂଗଠିତ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ସହିତ ସର୍ବନିମ୍ନ ମଜୁରି ପରିସରଭୁକ୍ତ ଓ ଅତିରିକ୍ତ ମହଙ୍ଗାଭତା ପ୍ରଦାନ ପାଇଁ ସିଆଇଟିୟୁ ଓଡିଶା ରାଜ୍ୟ କମିଟି ଦାବି କରିବା ସହିତ ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ସଚିବ ଓ ଶ୍ରମ କମିଶନର ଓଡିଶାଙ୍କ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି ।