● ପ୍ରସ୍ତାବିତ ଗ୍ରୀନଫିଲ୍ଡ ରେଳଲାଇନ ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣିଜ କ୍ଲଷ୍ଟରକୁ ପୂର୍ବତଟ ବନ୍ଦର ସହ କରିବ ସଂଯୋଗ
ନୂଆଦିଲ୍ଲୀ, 28 ସେପ୍ଟେମ୍ବର : ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ୫୬ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ନେଟୱର୍କ ଯୋଜନା ଗୋଷ୍ଠୀ) ବୈଠକରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆର୍ଟିଏଚ୍) ର ୪ଟି ପ୍ରକଳ୍ପ ଏବଂ ରେଳ ମନ୍ତ୍ରଣାଳୟର ୨ଟି ପ୍ରକଳ୍ପ ସମେତ ୬ଟି ପ୍ରକଳ୍ପ ପ୍ରସ୍ତାବର ଆକଳନ କରାଯାଇଥିଲା, ଯାହାର ସମୁଦାୟ ବ୍ୟୟ ଅଟକଳ ପ୍ରାୟ ୫୨,୦୦୦ କୋଟି ଟଙ୍କା ରହିଛି । ଲଜିଷ୍ଟିକ୍ସ, ଶିଳ୍ପ ସମ୍ବର୍ଦ୍ଧନ ଓ ଆନ୍ତରିଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀର ଯଶୋଭୂମି କନଭେନ୍ସନ୍ ସେଣ୍ଟରରେ ୫୬ତମ ଏନ୍ପିଜି ବୈଠକ ଅନୁଷ୍ଠିତ ହୋଇଥିଲା । ପିଏମ୍ ଗତିଶକ୍ତି ଆଭିମୁଖ୍ୟ ଆରମ୍ଭ ହେବା ପର ଠାରୁ ଏନ୍ପିଜି ଦ୍ୱାରା ଆକଳନ କରାଯାଇଥିବା ମୋଟ ପ୍ରକଳ୍ପ ପ୍ୟୟ ପ୍ରାୟ ୧୧.୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ସହିତ ପ୍ରକଳ୍ପ ସଂଖ୍ୟା ୧୧୨ ହୋଇ ଯାଇଛି । ଏମଓଆରଟିଏଚ୍ ପ୍ରାୟ ୪୫୦୦୦ କୋଟି ଟଙ୍କାର ୪ଟି ସଡ଼କ ପ୍ରକଳ୍ପ ଏନପିଜି ନିକଟରେ ଉପସ୍ଥାପିତ କରିଥିଲା ଏବଂ ଏଥିରେ ଗତିଶକ୍ତି ନିୟମାବଳୀର ଅନୁପାଳନ ପ୍ରଦର୍ଶନ କରିଥିଲା ।
ଏହି ବୈଠକରେ , ପ୍ରାୟ ୬୭୦୦ କୋଟି ଟଙ୍କାର ମୋଟ ପ୍ରକଳ୍ପ ବ୍ୟୟରେ ଦୁଇଟି ରେଳ ପ୍ରକଳ୍ପ ପ୍ରସ୍ତାବକୁ ଆକଳନ କରା ଯାଇଥିଲା । ଏହା ମଧ୍ୟରୁ ଗୋଟିଏ ପ୍ରସ୍ତାବିତ ଗ୍ରୀନଫିଲ୍ଡ ରେଳଲାଇନ ପ୍ରକଳ୍ପ ଓଡ଼ିଶାରେ ଅବସ୍ଥିତ ଏବଂ ଏହା ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଓ ଅନଗୁଳ ଜିଲ୍ଲା ଦେଇ ଯିବ । ଏହା ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣିଜ କ୍ଲଷ୍ଟରକୁ ପୂର୍ବତଟ ବନ୍ଦର ସହ ସଂଯୋଗ କରିବ । ଏହା ବ୍ୟତୀତ ପୂର୍ବ ଛତିଶଗଡ଼ ଶିଳ୍ପ କ୍ଲଷ୍ଟର ଗୁଡ଼ିକର ପୂର୍ବତଟ ବନ୍ଦର ସହିତ ସଂଯୋଗ ଦୂରତା କମ୍ ହେବ । ଏହି ରେଳଲାଇନ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଦିବାସୀ ଅଂଚଳରେ ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ବିକାଶ ଆଣିବ ଏବଂ ପ୍ରସ୍ତାବିତ ଲାଇନରେ ନୂତନ ଶିଳ୍ପ କରିଡର ପାଇଁ ସୁଯୋଗ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଉଛି ।
ଅନ୍ୟ ଏକ ପ୍ରସ୍ତାବିତ ରେଳ ପ୍ରକଳ୍ପ କେରଳ ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ରେଳ ଲାଇନର ଦୋହରୀକରଣ ଅନ୍ତର୍ଭୁକ୍ତ । ପ୍ରସ୍ତାବିତ ଭିତ୍ତିଭୂମି ବୃଦ୍ଧି ଦକ୍ଷିଣ ରେଳପଥର ଏକ ଅତ୍ୟଧିକ ଚାପଗ୍ରସ୍ତ କରିଡରରେ ରେଳ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବ । ଏହା ବ୍ୟତୀତ ଏହା ଦ୍ୱାରା ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ ।
ପ୍ରଥମ ପ୍ରସ୍ତାବିତ ସଡକ ପ୍ରକଳ୍ପ ହେଉଛି ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଏକ ଗ୍ରୀନଫିଲ୍ଡ ମାର୍ଗ, ଯାହା କେବଳ ନବସାରୀ, ନାସିକ, ଅହମ୍ମଦନଗର ଜିଲ୍ଲାର ଶିଳ୍ପାଞ୍ଚଳ ନୁହେଁ ବରଂ ଏହି ଅଞ୍ଚଳର କୃଷି କ୍ଷେତ୍ରକୁ ମଧ୍ୟ ଉପକୃତ କରିବ । ଏହା ବ୍ୟତୀତ ଏହି ପ୍ରକଳ୍ପ ନବସାରୀ, ବଲସାଦ ଏବଂ ନାସିକ ଭଳି ଆଦିବାସୀ ଜିଲ୍ଲା ଗୁଡ଼ିକର ସାମଗ୍ରିକ ସାମାଜିକ – ଅର୍ଥନୈତିକ ବିକାଶରେ ସହଜ ଏବଂ ସୁବିଧାଜନକ ଯୋଗାଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଉପକୃତ ହେବ ଏବଂ ଉସମାନବାଦ ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ମଧ୍ୟ ସଂଯୋଗ କରିବ ।
ଦ୍ୱିତୀୟ ଗ୍ରୀନଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟ ଗୁଜରାଟ ରାଜ୍ୟରେ ଅବସ୍ଥିତ, ଯାହା ବନସକଣ୍ଠା, ପାଟନ, ମହେସାନା, ଗାନ୍ଧୀନଗର ଏବଂ ଅହମ୍ମଦାବାଦ ଜିଲ୍ଲା ଦେଇ ଯିବ । ଏହା ଅମୃତସର – ଜାମନଗର ଅର୍ଥନୈତିକ କରିଡରକୁ ଅହମ୍ମଦାବାଦ ଏବଂ ଭଦୋଦରା ସହିତ ସଂଯୋଗ କରିବ ଏବଂ ପରିବହନର ଅନ୍ୟାନ୍ୟ ମାଧ୍ୟମ ସହିତ ସମନ୍ୱିତ ହେବ, ଯାହା ଫଳରେ ଏହି ଅଞ୍ଚଳରେ ବହୁମୁଖୀ ପ୍ରୋତ୍ସାହନ ଏବଂ ଉପଯୋଗ କ୍ଷେତ୍ରରେ ଏହା ଯୋଗଦାନ କରିବ ।
ପ୍ରସ୍ତାବିତ ତୃତୀୟ ସଡ଼କ ପ୍ରକଳ୍ପ ବିହାର ରାଜ୍ୟରେ ଅବସ୍ଥିତ ଏବଂ ଏଥିରେ ଭାରତମାଳା ପରିଯୋଜନା ଅଧୀନରେ ପାଟନା – ଆରା – ସାସାରାମ କରିଡରର ୪ ଲେନ୍ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ । ଆଦିବାସୀ ଅଂଚଳ ସମେତ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଜିଲ୍ଲା ମାନଙ୍କରେ ଏହି ପ୍ରକଳ୍ପ ସାମାଜିକ – ଅର୍ଥନୈତିକ ବିକାଶ ଆଣିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ପୂର୍ବରୁ ରହିଥିବା ମାର୍ଗ ଏବଂ ଯାତ୍ରା ସମୟକୁ ହ୍ରାସ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା କ୍ଷେତ୍ରରେ ସହାୟକ ହେବ ଏବଂ ଉତ୍ତର ପ୍ରଦେଶରୁ ପୂର୍ବାଂଚଳ ଏକ୍ସପ୍ରେସୱେ ଦେଇ ଏବଂ ଝାଡ଼ଖଣ୍ଡ ଏବଂ ପାଟନା ଅଭିମୁଖେ ଯାଉଥିବା ଟ୍ରାଫିକ୍ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ପ୍ରଦାନ କରିବ । ଏହା ଏହି ଅଞ୍ଚଳର ଜଳପଥକୁ ମଧ୍ୟ ସମନ୍ୱିତ କରିବ ।
ଏହି ବୈଠକରେ ଆଲୋଚନା ହୋଇଥିବା ଚତୁର୍ଥ ସଡ଼କ ପ୍ରକଳ୍ପ ଉତ୍ତରପ୍ରଦେଶରେ ଅବସ୍ଥିତ ଏବଂ ଏହା ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ କରାଯାଉଛି ।
ଏହି ବୈଠକରେ ଏନପିଜି ସ୍ୱୀକାର କରିଛି ଯେ ଏହି ପ୍ରକଳ୍ପ ଗୁଡିକ ଶିଳ୍ପ ବିକାଶର ଦ୍ୱାର ଉନ୍ମୁକ୍ତ କରି ଅନେକ ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ଜିଲ୍ଲାକୁ ଉପକୃତ କରିବ ।
ଏହି ବୈଠକରେ ସଦସ୍ୟ ବିଭାଗ ଓ ମନ୍ତ୍ରଣାଳୟ, ଯଥା : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ବୈଠକରେ ପ୍ରକଳ୍ପ ଯୋଜନା ନିୟୋଜନରେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମ୍ପି) ପୋର୍ଟାଲ୍ ବ୍ୟବହାର କରିବାର ଉପକାରିତା ଉପରେ ଆଲୋକପାତ କରାଯାଇଥିଲା ଏବଂ ଅଭିଜ୍ଞତା ଏହା ଦର୍ଶାଉଛି ଯେ ଏନ୍ଏମପି ପୋର୍ଟାଲ୍ କିପରି ଖର୍ଚ୍ଚରେ ପ୍ରଭାବଶାଳୀ ହୋଇପାରିଛି ଏବଂ ପ୍ରକଳ୍ପ ଯୋଜନାରେ ସମୟ ସଞ୍ଚୟ କରୁଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଡିଜିଟାଲ ସର୍ଭେ ମାଧ୍ୟମରେ ଯୋଜନା କରିବା ଭିତ୍ତିଭୂମି ଯୋଜନା ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଯାହା ଫଳରେ ଡିପିଆର୍ ପ୍ରସ୍ତୁତି ପାଇଁ ଲାଗୁଥିବା ସମୟ ହ୍ରାସ ପାଉଛି, ଜଙ୍ଗଲ / ଅର୍ଥନୈତିକ କ୍ଷେତ୍ର / ପ୍ରତ୍ନତାତ୍ତ୍ୱିକ ସ୍ଥାନ / ସାମାଜିକ ନୋଡ୍ ଇତ୍ୟାଦି ସହିତ ଯୋଜନାବଦ୍ଧ ପ୍ରକଳ୍ପର ସଂଯୋଗ ଗୁଡ଼ିକର ସହଜ ଦୃଶ୍ୟମାନ ହେଉଛି । ଏହା ପ୍ରକଳ୍ପ କ୍ଷେତ୍ରର ପ୍ରମୁଖ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରକୁ ମାର୍ଗ ଏବଂ ସଂରେଖିତ ଅନୁକୂଳନ ଏବଂ ପ୍ରଭାବଶାଳୀ ଅନ୍ତିମ / ପ୍ରଥମ ମାଇଲ୍ ସଂଯୋଗ ଯୋଜନାରେ ମଧ୍ୟ ସାହାଯ୍ୟ କରେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।
ଏହା ବ୍ୟତୀତ, ଏହି ପ୍ରକଳ୍ପ ଗୁଡିକ ପରିବହନର ଅନ୍ୟ ମାଧ୍ୟମ ସହିତ ଭଲ ଭାବରେ ସମନ୍ୱିତ ଏବଂ ତେଣୁ ଏହା ବହୁମୁଖୀତାକୁ ପ୍ରୋତ୍ସାହିତ କରିବ ।
ଏହି ଅଞ୍ଚଳର ସାମଗ୍ରିକ ସାମାଜିକ – ଅର୍ଥନୈତିକ ଉନ୍ନତିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗତିଶକ୍ତି ଦୃଷ୍ଟିକୋଣରୁ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ ସମୟରେ ପ୍ରକଳ୍ପ ଯୋଜନାରେ କ୍ଷେତ୍ର ବିକାଶ ଆଭିମୁଖ୍ୟ ଏନପିଜିର କେନ୍ଦ୍ରବିନ୍ଦୁ ଥିଲା ।
ବିଭିନ୍ନ ପରିବହନ ପଦ୍ଧତିର ନିରବଚ୍ଛିନ୍ନ ସମନ୍ୱୟ ଏବଂ ବହୁମୁଖୀ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ନିର୍ଦ୍ଦେଶାବଳୀକୁ ଗ୍ରହଣ କରିବାର ଗୁରୁତ୍ୱ ଉଭୟ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଲାଭଦାୟକ ବୋଲି ବିଚାର କରାଯାଉଥିବା ସମସ୍ତ ପ୍ରକଳ୍ପରେ ଦେଖିବାକୁ ମିଳିଥିଲା ।