ଭୁବନେଶ୍ୱର, 28 ସେପ୍ଟେମ୍ବର- ଦିନକୁ ଦିନ ସାଇବର ଠକେଇର ମାମଲା ବଢ଼ିବାରେ ଲାଗିଛି ।ଏହି ପିରିପ୍ରେକ୍ଷୀରେ ଓଡ଼ିଶା ପୁଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ସାଇବର ଅପରାଧ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୁଲିସ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳାଙ୍କୁ ନିୟୋଜିତ କରିବ । ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡ଼ିବ । ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ କରାଯିବ । ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କରାଯାଇଛି । ସାଇବର ସୁରକ୍ଷା ଅଭିଯାନର ଲୋଗୋର ନାମ ସାଇରା, ଯାହାକି ସାଇବର ସହ ଇରାୱଡି ଡଲଫିନର ନାମକୁ ମିଶାଇ କରାଯାଇଛି । ଇରାୱଡି ଡଲଫିନ ଯାହାକି ସ୍ମାର୍ଟ ଓ ଇେଂଟଲିଜେଂଟର ପ୍ରତୀକ । ତାହାକୁ ଏଠାରେ ଲୋଗୋରେ ସ୍ଥାନ ଦିଆଯାଇଛି । ଏହାସହ ମାର୍ଗଦର୍ଶିକାକୁ ମଧ୍ୟ ଉନ୍ମୋଚନ କରାଯାଇଛି ।
ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନଶକ୍ତି ମହିଳାମାନେ ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ । ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି ।