ଭୁବନେଶ୍ୱର, 27 ସେପ୍ଟେମ୍ବର – ଆଦିଶକ୍ତିଙ୍କ ସୃଷ୍ଟିରେ ମା’ ବାପା ଧରାପୃଷ୍ଠରେ ଏକ ମହତ୍ ଉଦ୍ଦେଶ୍ୟ ସାଧନରେ କାର୍ଯ୍ୟ କରୁଛନ୍ତି । ନିଜ ସନ୍ତାନଙ୍କ ପାଇଁ ସେମାନେ ଈଶ୍ୱରଙ୍କ ସ୍ୱରୂପ । ତାଙ୍କରି ଆଶୀର୍ବାଦ ଜୀବନକୁ ଶୃଙ୍ଖଳିତ କରିବା ସହିତ ଜୀବନରେ ସଫଳତା ଆଣିଦିଏ । ସେହି ମା’ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେବା ଓ ସେମାନେ ଯେଉଁଥିରେ ଖୁସି ହେବେ ସେପରି କାମ କରିବାକୁ ନିଜର କର୍ତବ୍ୟ ବୋଲି ବିବେଚନା କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।
ବୁଧବାର ରାଜଭବନର ଅଭିଷେକ ହଲ୍ରେ ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୧, ଭାରତୀୟ ଆର୍ଥିକ ସେବା (ଆଇ.ଇ.ଏସ୍)-୨୦୨୧ ଓ ଭାରତୀୟ ଜନ ସେବା-୨୦୨୨ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ପ୍ରାର୍ଥୀମାନଙ୍କ ମାତାପିତାଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟପାଳ ସମ୍ବର୍ଦ୍ଧିତ କରିବା ଅବସରରେ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ସନ୍ତାନଙ୍କ ସଫଳତାରେ ରାଜ୍ୟ ଗର୍ବିତ ବୋଲି କହିବା ସହିତ ସେମାନଙ୍କର ପ୍ରେରଣା, ଉତ୍ସାହ ଓ ଆଦର୍ଶ ଆଗାମୀ ଦିନରେ ସେହି ସଫଳତାର ଧାରାକୁ ବଜାୟ ରଖିବାକୁ ସର୍ବଦା ଅନୁପ୍ରେରିତ କରିବ ବୋଲି ରାଜ୍ୟପାଳ କହିଥିଲେ । ସଫଳ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ସେମାନଙ୍କୁ ନିଜର ଦାୟିତ୍ୱ ଏବଂ କର୍ତବ୍ୟ ସଂପର୍କରେ ଅବଗତ ହୋଇ ଉଚ୍ଚକୋଟୀର ସେବା ପ୍ରଦାନ କରିବାକୁ ଓ ନୂତନ ଭାରତ ଗଠନରେ ବ୍ରତୀ ରହିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସଫଳ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଚାକିରୀ ଜୀବନରେ ନିଜକୁ ଦକ୍ଷ, ସଚ୍ଚୋଟ, ସ୍ୱଚ୍ଛ ଓ ସର୍ବୋପରି ଜଣେ ଉତମ ଅଫିସର୍ ଭାବେ ଉପସ୍ଥାପନ କରିବାକୁ କହିଥିଲେ ଓ ମା’ ବାପା ଏ ଦିଗରେ ସନ୍ତାନମାନଙ୍କୁ ସଠିକ୍ ମାର୍ଗରେ ଯିବା ପାଇଁ ସବୁ ପ୍ରକାର ଉତ୍ସାହିତ କରିବା ଆବଶ୍ୟକ ବୋଲି କହିଥିଲେ । ଜଣେ ଉତମ ତଥା ଉଚ୍ଚକୋଟୀର ଅଫିସର ହେବା ସହିତ ଜଣେ ଉତମ ମଣିଷ ହେବାକୁ ସେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୁଇ ଜଣ ସଫଳ ପ୍ରାର୍ଥୀ ବିଶ୍ୱ ବିସୃତ ତ୍ରିପାଠୀ (ସି.ଏସ.ଇ-୨୦୨୧) ଏବଂ ଦେବାଶିଷ ଜେନା (ଭାରତୀୟ ଜନସେବା-୨୦୨୨) ନିଜର ସଫଳତା ଓ ମାତାପିତାଙ୍କ ଭୂମିକା ସଂପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ମାତାପିତା ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଅଶେଷ ଆନନ୍ଦ ପ୍ରକାଶ କରିଥିଲେ । ଏହି କାର୍ଯ୍ୟରେ ଓଡ଼ିଶା ରାଜ୍ୟର ଛଅ ଜଣ ସଫଳ ପ୍ରାର୍ଥୀଙ୍କ ମାତାପିତାଙ୍କ ସହିତ ଉପସ୍ଥିତ ଦୁଇ ଜଣ ପ୍ରାର୍ଥୀଙ୍କୁ ସାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ ।