ଭୁବନେଶ୍ୱର, ୨୭ ସେପେମ୍ବର – ବଲାଙ୍ଗୀର, କୋରାପୁଟ ସମେତ ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ଖୋଲା ହୋଇଥିବା ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ବହୁଳ ମାତ୍ରାରେ ଖାଲି ଥିବାରୁ ବିଧାନସଭାରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଆଜି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ମିଶ୍ର କହିଥିଲେ ଯେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅନୁମୋଦନ ପ୍ରାପ୍ତ ଶିକ୍ଷକ ପଦବୀ ସଂଖ୍ୟା ୧୨୮ ଥିବା ବେଳେ ୧୦୮ଟି ପଦବୀ ଖାଲି ରହିଛି । ସେହିପରି ନନ ଟିଚିଂ ଷ୍ଟାଫଙ୍କ ପଦବୀ ସଂଖ୍ୟା ୧୫୦ ରହିଥିବା ବେଳେ ୧୪୫ ଟି ପଦବୀ ଖାଲି ରହିଛି । ଏଭଳି ସ୍ଥିତିରେ ପାଠପଢା କିପରି ହେଉଛି । ଏହା ଆଜିର ନୁହେଁ ବରଂ ଦୀର୍ଘ ଦିନର ସମସ୍ୟା । ବାରମ୍ବାର ଅଭିଯୋଗ କରିବା ସତ୍ୱେ କେହି ଶୁଣିବାକୁ ନାହାନ୍ତି । ରାଜ୍ୟ ସରକାର କହୁଛନ୍ତି ଯେ ଅର୍ଥର ଅଭାବ ନାହିଁ । ତେବେ କେବିକେ ଅଂଚଳର ତଳ ଆଡୁ ବିକାଶ କରୁଛନ୍ତି ରାଜ୍ୟ ସରକାର ବୋଲି ସେ କହିଛନ୍ତି ।
ଏ ସବୁ ଦେଖିବା ପରେ ରାଜ୍ୟରେ ଏଭଳି ଏକ ସରକାର ରହିଥିବାରୁ ସେ ଲଜ୍ଜିତ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ସେ ଯାହା ତଥ୍ୟ ଦେଉଛନ୍ତି ତାହା କେବଳ ତାଙ୍କ ବିଧାନସଭା ଅଂଚଳର । ହେଲେ ସାରା ରାଜ୍ୟରେ ଠିକ ଏବି ଭଳି ସ୍ଥିତି ରହିଛି ବୋଲି ସେ କହିଛନ୍ତି ।