ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ସ, ବାମ୍ବିହା ଏବଂ ଡାଲାଙ୍କ ଅପରାଧ ସାମ୍ରାଜ୍ୟ ଉପରେ ଏନଆଇଏର ବଡ ପ୍ରହାର । ମଙ୍ଗଳବାର ରାତିରେ 6ଟି ରାଜ୍ୟର 51ଟି ସ୍ଥାନରେ ଏନଆଇଏ ରେଡ୍ କରିଛି । ଗ୍ୟାଙ୍ଗଷ୍ଟରମାନଙ୍କ ଠିକଣାରେ ଆଜି ସକାଳ ଯାଏ ଛାନଭିନ କରିଛି ଜାତୀୟ ସୁରକ୍ଷା ଏଜେନ୍ସି । ଏବେ ବି ଅନେକ ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।
ଏନଆଇଏର ରେଡ୍ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏବଂ ଅନେକ ଗ୍ୟାଙ୍ଗଷ୍ଟର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଜଣାପଡିଛି । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ ଏନସିଆରରେ ଚଢାଉ କରାଯାଇଛି । ପଞ୍ଜାବ ଏବଂ ହରିୟାଣା ପରି ରାଜ୍ୟରେ ଲୁଚି ରହିଥିବା ଗ୍ୟାଙ୍ଗଷ୍ଟର ମାନଙ୍କର ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ପ୍ରମାଣ ଏଜେନ୍ସି ହାତରେ ଲାଗିଛି ।
ଏନଆଇଏର ଜଣେ ଅଧିକାରୀ କହିଛନ୍ତି ଯେ 3ଟି ମାମଲାରେ ଲରେନ୍ସ, ବାମ୍ବିହା ଏବଂ ଆର୍ଶ ଡାଲା ଗ୍ୟାଙ୍ଗର ସହଯୋଗୀଙ୍କ ସହ ଜଡିତ 6ଟି ରାଜ୍ୟର 51 ଟି ସ୍ଥାନରେ ରେଡ୍ ହୋଇଛି । ପଞ୍ଜାବର ଭଠିଣ୍ଡା ଏବଂ ମୋଗାରେ ଏବେ ବି ଏକ୍ ଟିମ୍ ତନାଘନା ଚଳାଇଛି ।
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ଘଟଣାରେ ଲରେନ୍ସ ବିଷ୍ନୋଇ ଏବଂ ବମ୍ବିହା ଗ୍ୟାଙ୍ଗର ନାମ ସାମ୍ନାକୁ ଆସିଛି । ଲରେନ୍ସ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବମ୍ବିହା ପାକିସ୍ତାନର ସାହାଯ୍ୟ ନେଇଥିବା ପ୍ରମାଣ ମିଳିଛି । ଅର୍ଶ ଡଲ୍ଲା ବିଦେଶରେ ଲୁଚିଛି । ସେ ସେଠାରୁ ହିଁ ଅପରାଧିକ ସାମ୍ରାଜ୍ୟ ଚଳାଇଛି । ଆତଙ୍କବାଦକୁ ସମର୍ଥନ କରୁଥିବା ଗୋଲ୍ଡି ବରାଡଙ୍କ ପରି ଗ୍ୟାଙ୍ଗଷ୍ଟରମାନେ ମଧ୍ୟ ଏଜେନ୍ସିର ରାଡାରରେ ଅଛନ୍ତି।