ଭୁବନେଶ୍ୱର : ମଙ୍ଗଳବାର ମଧ୍ୟ ବିଧାନସଭା ଚାଲି ପାରି ନାହିଁ। ବିରୋଧୀ ଦଳର ବିଧାୟକ ତଥା ସରକାରୀ ଦଳର ବିଧାୟକ ମାନଙ୍କର ନାରାବାଜୀ କାରଣରୁ ଗୃହ ଆଜି ଚାଲି ପାରି ନାହିଁ । ହଟ୍ଟଗୋଳ କାରଣରୁ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ ଗୃହ କାର୍ଯ୍ୟକୁ 10.30ରୁ 12 ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ ଓ ଶୂନ୍ୟକାଳ କାର୍ଯକ୍ରମ ହୋଇ ପାରି ନ ଥିଲା ।
ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ବିଜେପି ବିଧାୟକ ମାନେ ହାତରେ କଳା ବ୍ୟାଜ ପରିଧାନ କରି ତାଙ୍କର ପ୍ରଶ୍ୱ ଗୁଡିକୁ କାହିଁକି ଅସ୍ୱୀକାର କରା ଯାଉଛି ବୋଲି ପ୍ରଶ୍ନ କରି ନାରାବାଜୀ କରିଥିଲେ । ଅନ୍ୟ ପକ୍ଷରେ ସରକାରୀ ଦଳର ବିଧାୟକ ମାନେ କୃଷକ ମାନଙ୍କର ଏମଏସପି ବଢାଇବାକୁ ଦାବି ରି ନିଜ ନିଜ ଆସନରେ ରହି ନାରାବାଜୀ କରିଥିଲେ । ବାଚସ୍ପତି ବିଜେପି ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯରେ ସହଯୋଗ କରିବାକୁ ନିବେଦନ କରିଥିଲେ । ହେଲେ ସେମାନେ ନାରାବାଜୀ ଜାରୀ ରଖିଥିଲେ ।
ଏହା ପରେ ବାଚସ୍ପତି ଗୃହର କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବାକୁ ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କାର୍ଯ୍ୟ 12 ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।