ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଓ ସୁନିଆ ପାଳିତ ହେଉଅଛି। ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଆଜି ସକାଳ ଧୂପ ପୂଜା ବଢିବା ପରେ ଶ୍ରୀଜୀଉ ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଛି । ଏହାପରେ କର୍ପୁର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଭୋଗ ହେବ । ଏହାପରେ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ। ଚନ୍ଦନ ଅର୍ଗଳି ଠାରେ ଶୁଦ୍ଧସୁଆର ସେବକ ପଞ୍ଚ ମୁରୁଜରେ ମଣ୍ଡଳ କାଟିବେ । ଏହାପରେ ତିନି ବାଡ଼ରେ ବନ୍ଦାପନା ଓ ବରୁଣ ପୂଜା ଅନୁଷ୍ଠିତ ହେବ । ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ଵାରା ରତ୍ନସିଂହାସନ ବିଜେ କରିବେ। ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହେବ । ଏହାପରେ ଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିବେ। ତାପରେ କୃଷ୍ଣଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯିବ । ପଞ୍ଚାମୃତରେ ଦିଅଁଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି, ଜନ୍ମବିଧିମାନ ସମାପନ ହେବ । ଏହାପରେ ପାଳିଆ ମହାସୁଆର କ୍ଷୀର, ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେବେ । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବେ । ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ଵାର ନିକଟକୁ ନେବେ । ମାର୍କଣ୍ଡେଶ୍ଵର ସାହି ଲୋକ ବାମନ ମୂର୍ତ୍ତି ପଟି ପୂର୍ବରୁ ଦେଇଥିଲେ । ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିବେ । ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରାଇବେ। ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରିବେ । ପୂଜାପଣ୍ଡା ବସୁଧରା, ଯଜ୍ଞ ପବିତ୍ରା ଲାଗି କରିବେ । ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହେବ । ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିବେ । ଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ିବେ । ଭାଦ୍ରବ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିର ମଧ୍ଯାହ୍ନରେ ନାରାୟଣ ବାମନ ରୂପରେ ଆବିର୍ଭୂତ ହୋଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ଭାବେ ଅଭିହିତ କରାଯାଇ ଉକ୍ତ ଆବିର୍ଭାବ ତିଥିରେ ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳିତ ହୋଇଥାଏ। ଏହିଦିନ ସକାଳ ଧୂପ ପୂଜା ଶେଷ ହେବା ପରେ ଠାକୁରମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହୋଇ ପୂର୍ବ ଦିନରୁ ଅଧିବାସ ହୋଇଥିବା ପବିତ୍ରାଲାଗି ହୋଇଥାଏ । ତତ୍ପରେ ଶ୍ରୀବିଗ୍ରହମାନଙ୍କୁ କର୍ପୂର ଲାଗି ହୋଇ ବେଶ ବଢିବାପରେ ମଧ୍ଯାହ୍ନ ଧୂପ ଉଠିଥାଏ ଓ ଜୟବିଜୟ ଦ୍ବାର ବନ୍ଦ ହୋଇ ଚନ୍ଦନ ଅର୍ଗଳୀ ଠାରେ ଶୁଦ୍ଧ ସୁଆର ପାଣି ପକାଇ ପୋଛା ମାରିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଲେଖିଥାନ୍ତି। ଏହାପରେ ତିନିବାଡରେ ଶ୍ରୀବିଗ୍ରହମାନଙ୍କର ବନ୍ଦାପନା ଓ କଳସ ବରୁଣ ପୂଜା କରାଯାଏ। ଇତିମଧ୍ୟରେ ଦକ୍ଷିଣ ଘର ଭୋଗ ସରିବା ପରେ ମହାଜନ ସେବକମାନେ ବାମନ/କୃଷ୍ଣଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗିକରିଥାନ୍ତି। ଏଥି ଉତ୍ତାରେ ମହାଜନମାନେ କୃଷ୍ଣଙ୍କୁ ସର୍ବତୋଭଦ୍ରମଣ୍ଡଳରେ ବିଜେ କରାନ୍ତି। ଏହା ପୂର୍ବରୁ ଏହି ମଣ୍ଡଳରେ ସୁବର୍ଣ୍ଣର ବାମନ ପ୍ରତିମା ବିଜେ କରିଥାନ୍ତି। ଏଠାରେ ଗର୍ଭଉଦକ ନୀତି, ଜନ୍ମବିଧିମାନ କରାଯାଇଥାଏ। ଏହାପରେ କ୍ଷୀର, ଲହୁଣୀ, କୋରା ମଣୋହି, ପ୍ରସାଦ ଲାଗି, ଭଣ୍ଡାର ଘରୁ ରୂପା ବଟାରେ ପତିମହାପାତ୍ରଙ୍କ ହସ୍ତରେ ଶ୍ରୀଦୁର୍ଗା ଦେବୀଙ୍କ ବିଜେ, ବସୁଧାରା ଯଜ୍ଞ ପବିତ୍ରା, ଶୀତଳ ଭୋଗ ପନ୍ତି, ଦୁଧ ମଣୋହି, ପ୍ରସାଦ ଲାଗି ଓ ବନ୍ଦାପନା ଇତ୍ଯାଦି ନୀତିମାନ ଅନୁଷ୍ଠିତ ହୁଏ। ସନ୍ଧ୍ଯା ଧୂପ ନୀତି ଶେଷ ହେଲାପରେ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ଇନ୍ଦ୍ରଧ୍ବଜ ପୂଜା ଅନୁଷ୍ଠିତ ହେବ । ଏଥି ନିମନ୍ତେ କାଠ ବାଉଁଶରେ ସପ୍ତମେଘ ପୋତାଯାଇଛି । ରୋଷରୁ ଦୁଇ ଓଳି ଅନ୍ନ ପନ୍ତିରେ ବଢାଯିବାପରେ ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ଭୋଗ କରନ୍ତି।
ସୂଚନାଯୋଗ୍ଯ ଯେ, ବର୍ଷକରେ ଏହି ଦିନଟିରେ ହିଁ କେବଳ ଶଙ୍ଖୁଡି ବାହାରକୁ ଯାଏ। ତତ୍ପର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ହୋଇଥାଏ। ବାମନ ଯେତେବେଳେ ବଳିଦ୍ବାରକୁ ତିନିପାଦ ଭୂମି ମାଗିବାକୁ ଯାଇଥିଲେ। ସେତେବେଳେ ବାମନ ବ୍ରାହ୍ମଣ ରୂପରେ ଥିଲେ, ଶରୀର ତାଙ୍କର ଲାବଣ୍ୟମୟ ଦିଶୁଥିଲା, ଅଙ୍ଗୁଷ୍ଠରେ ମୁଦ୍ରିକା ଶୋଭା ପାଉଥିଲା, କପାଳ ଅତ୍ୟନ୍ତ ମନମୁଗ୍ଧକର ଚିତା ଦ୍ବାରା ସୁସଜ୍ଜିତ ଥିଲା, ହସ୍ତରେ ତାଳପତ୍ର ପୁସ୍ତକ ଶୋଭାପାଉଥିଲା, କାନ୍ଧରେ ଥିବା ଯଜ୍ଞୋ ପବୀତ ଦେବତାମାନଙ୍କର ଦ୍ୟୁତିକୁ ହରଣ କରୁଥିବା ସହ ତାହା ଉପରେ ଉତ୍ତରୀୟ ଶୋଭାପାଉଥିଲା, ବାମ ହସ୍ତରେ ତାଳପତ୍ରର ଛତା ଥିଲା, ଦୁଇ ହସ୍ତର ଦୁଇ ଅନାମିକା ଅଙ୍ଗୁଷ୍ଠିରେ ଦୁଇଟି କୁଶବଟୁ, ଦକ୍ଷ ହସ୍ତରେ ତାମ୍ର ପାତ୍ର, ଏହିପରି ସୌନ୍ଦର୍ଯ୍ୟରେ ସଜ୍ଜିତ ବାମନଦେବ ବ୍ରାହ୍ମଣ ରୂପରେ ସାମବେଦ ପଠନ ପୂର୍ବକ ବଳିଦ୍ବାରରେ ଉପସ୍ଥିତ ହୋଇଥିଲେ। ଯେତେବେଳେ ବ୍ରାହ୍ମଣ ରୂପୀ ବାମନ ବଳିରାଜଙ୍କର ନଗର ମଧ୍ୟ ଦେଇ, ରାଜ ପ୍ରାସାଦ ଅଭିମୁଖେ ଯାଉଥିଲେ, ସେ ସମୟରେ ସେ ଅତି ସୁନ୍ଦର ଭାବରେ ସାମଗାନ କରୁଥିଲେ। ବସନ୍ତ କାଳୀନ କୋକିଳର ସ୍ବର ପରି ସାମଗାନ ଶୃତିମଧୁର ଥିଲା। ତତ୍-ସହିତ ସେହି ସାମଗାନ ତିନିପୁରକୁ ପୁଲକିତ କରିବା ସହ ଶ୍ରବଣ ମାତ୍ରକେ ସମସ୍ତଙ୍କର ରୋମୋଦ୍ଗମ ହେଉଥିଲା। ଇତ୍ୟବସରରେ ବଳି ରାଜ ନିଜର ଦାନପୁଣ୍ୟ କାର୍ଯ୍ୟ ସମାପନ କରି ଭୋଜନାଳୟକୁ ଭୋଜନ କରିବା ଉଦ୍ଦେଶ୍ୟରେ ଯିବାବେଳେ ବ୍ରାହ୍ମଣଙ୍କର ବେଦଧ୍ବନି ଶୁଣି ଉଦ୍-ବେଗର ସହିତ ଧାବମାନ ଅବସ୍ଥାରେ ବ୍ରାହ୍ମଣଙ୍କୁ ସାକ୍ଷାତ ହୋଇ, ବ୍ରହ୍ମରୂପ ଦର୍ଶନ କରି ଆନନ୍ଦର ସହ ପଚାରିଲେ, ହେ ଦ୍ବିଜବର ଆପଣ କେଉଁଠାରୁ ଏବଂ କେତେ କାର୍ଯ୍ୟ ନେଇ ଏଠାକୁ ଆସିଛନ୍ତି।
ବଳି ଦ୍ଵାରରେ ବ୍ରାହ୍ମଣ ରୂପୀ ବାମନ ଉପସ୍ଥିତ ହେବା ପରେ ବଳିରାଜ ତାଙ୍କର ରୂପ ଲାବଣ୍ୟ ଦେଖି ସ୍ତମ୍ଭୀଭୂତ ହୋଇ ପଚାରିଥିଲେ, ହେ ଦ୍ବିଜବର ଆପଣଙ୍କର ଆସିବାର ଅଭିପ୍ରାୟ କଣ ? ବ୍ରାହ୍ମଣ କହିଲେ, ହେ ବଳିରାଜ ତୁମ୍ଭର କୀର୍ତ୍ତି ଚତୁର୍ଦ୍ଦିଗରେ ବିସ୍ତାରତ ହୋଇଛି। ଅନେକ ବ୍ରାହ୍ମଣଙ୍କୁ ତୁମ୍ଭେ ଦାନ ପୁଣ୍ୟ କରୁଛ, ଏ ଖବର ଶୁଣି ମୁଁ ତୁମ୍ଭ ଠାରୁ ତ୍ରିପାଦ ଭୂମି ଦାନ ନେବା ପାଇଁ ବହୁ ଦୀର୍ଘ ମାର୍ଗ ଗୋଲକପୁରୀରୁ ଆସିଅଛି। ତୁମ୍ଭେ ତ୍ରିପାଦ ଭୂମି ମୋତେ ପ୍ରଦାନ କର।
ବଳିରାଜଙ୍କୁ ବ୍ରାହ୍ମଣ ରୂପୀ ବାମନ ତିନିପାଦ ଭୂମି କଥା କହିଲେ, ବଳିରାଜ କହିଲେ, ହେ ବ୍ରାହ୍ମଣ ତୁମ୍ଭର ଶରୀର ତେଜୋମୟ କାନ୍ତି ସଦୃଶ ରୂପ ପୃଥିବୀ ମଧ୍ୟରେ ଦେଖାଯାଏ ନାହିଁ। ସାଧାରଣ ଭୂମି ମାଗିବା ଆବଶ୍ୟକ ନାହିଁ। ଯଦି ଦେଶ, ଗ୍ରାମ, ଗୋବାଜି ଧନଧାନ୍ୟ, ଅଷ୍ଟରତ୍ନ ଇତ୍ୟାଦି ମାଗନ୍ତେ ସବୁକିଛି ଦିଅନ୍ତି। କିନ୍ତୁ, ସାଧାରଣ ତିନିପାଦ ଭୂମି କଣ ମାଗୁଛନ୍ତି। ବଳି ଏବଂ ବ୍ରାହ୍ମଣ ରୂପୀ ବାମନଙ୍କ କଥୋପକଥନରେ ବଳିରାଜ ଅନେକ ଧନ ସମ୍ପଦ ଦେବା ପାଇଁ ଇଚ୍ଛୁକ ଥିଲେ। କିନ୍ତୁ, ଛଦ୍ମ ବେଶୀ ବାମନ ତିନିପାଦ ଭୂମି ଇଚ୍ଛା କରିଥିଲେ। “ଅତି ଦାନେ ବଳିର୍ବଧ ନ୍ୟାୟରେ” ବଳି ରାଜଙ୍କୁ ତିନିପାଦ ଭୂମି ତୁଚ୍ଛ ଲାଗୁଥିଲା। ବ୍ରାହ୍ମଣ ରୂପରେ କହିବାକୁ ଗଲେ ବଳିରାଜାଙ୍କର ସମସ୍ତ ଧନକୁ ତୁଚ୍ଛ ମନେକରି, ବ୍ରାହ୍ମଣ ରୂପୀ ବାମନ କହିଥିଲେ ଦେଶ ଯଦି ମିଳେ ତେବେ ରାଜ ଭୟ ଥାଇପାରେ, ନାନାଦି ଧନ ଦ୍ରବ୍ୟରେ ଚୌର ଭୟ ରହିପାରେ, କିନ୍ତୁ ବଟୁ ବ୍ରାହ୍ମଣଙ୍କର ଅତି ଛୋଟ ଛୋଟ ପାଦକୁ ଦେଖି ବଳିରାଜ ବିସ୍ମୟର ସହିତ ଚିନ୍ତାରେ ମ୍ରିୟମାଣ ହୋଇ ପଡ଼ିଥିଲେ। ସୁତରାଂ ବାମନ ଯାହାର ଦ୍ବାରରେ ବ୍ରାହ୍ମଣ ରୂପରେ ଯାଇ ଦାନ ଗ୍ରହଣ କରିବା ପାଇଁ ଇଚ୍ଛୁକ ତାଙ୍କର ପୁଣ୍ୟ ବଳ ଅବର୍ଣ୍ଣନୀୟ। ବଳିରାଜ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ମନ ମଧ୍ୟରେ ସ୍ମରଣ କରି ତିନିପାଦ ଭୂମି ଦାନ ଦେବାପାଇଁ ବ୍ରାହ୍ମଣ ରୂପୀ ବାମନଙ୍କୁ ସ୍ଥିର କରିଥିଲେ, ଏବଂ ମନରେ ଚିନ୍ତା କରିଥିଲେ, ଏହି ବ୍ରାହ୍ମଣଙ୍କର ପଦ ରେଣୁ ମୋର ପୂର୍ବ ଭାଗ୍ୟ ଥିବା ଯୋଗୁଁ ମୋ ଦ୍ବାରରେ ଆଜି ପଡ଼ିବା ସହ ମୁଁ ମୋର ସପ୍ତ କୁଳକୁ ଉଦ୍ଧାର କରି ମର୍ଯ୍ୟାଦା ରଖିବି ଏବଂ ଚିରକାଳ ପାଇଁ ବିଷ୍ଣୁଙ୍କ ପୟରରେ ଦାସାନୁଦାସ ହୋଇ ସ୍ବର୍ଗରେ ରହିବି। ଏଥିରୁ ଅନୁମାନ କରାଯାଏ, ଏ ଯୁଗରେ ମଧ୍ୟ ରାଜାମହାରାଜା ମାନେ ବ୍ରାହ୍ମଣ ମାନଙ୍କୁ ଭୂମି ଦାନକରି ବ୍ରାହ୍ମଣ ଶାସନ ଗୁଡିକୁ ବହୁସ୍ଥାନରେ ଅବସ୍ଥାପିତ କରିଛନ୍ତି।
ବଳିରାଜା ବ୍ରାହ୍ମଣଙ୍କୁ ତିନିପାଦ ଭୂମି ଦାନ କରିବା ପାଇଁ ବ୍ରାହ୍ମଣଙ୍କର ପଦ ଧୌତକଲେ। ଯେଉଁ ପାଦ ପଦ୍ମକୁ ଧୃବନାରଦାଦିମୁନି ଋଷି ଗଣ ଧ୍ୟାନ କରିବା ପାଇଁ ସକ୍ଷମ ନୁହନ୍ତି, ସେହି ପାଦପଦ୍ମକୁ ବଳିରାଜ ଧୌତ କରିବା ତାଙ୍କ ପାଇଁ ଅତି ପୁଣ୍ୟର ମାର୍ଗଥିଲା। ଯେକୌଣସି ଦାନପୁଣ୍ୟରେ ବ୍ରାହ୍ମଣଙ୍କୁ ବରଣ କଲା ବେଳେ ଆସନ, ପାଦାସନ, ଗନ୍ଧ, ପୁଷ୍ପ, ଅକ୍ଷତ, ନୂତନ ବସ୍ତ୍ରାଦି ପରିଧାନ କରାଇ ଦାନକୁ ଅର୍ପଣ କରାଯାଏ। ତଦ୍-ବତ୍ ବଳିରାଜ ବ୍ରାହ୍ମଣ ଙ୍କୁ ବରଣ କରି, ହରିଙ୍କର କର କମଳରେ ନୀର ଦାନ କରିଥିଲେ। ଗ୍ରହୀତା ବ୍ରାହ୍ମଣ ରୂପୀ ବାମନ ତାଙ୍କର ମଙ୍ଗଳ କାମନା କରିବା ସହ ଆକାଶରେ ଦୁନ୍ଦୁଭି ବାଦ୍ୟ ଦେବତା ଗଣ ବାଦନ କରିଥିଲେ। ବଳିରାଜ ବ୍ରାହ୍ମଣଙ୍କୁ ଯଥାବିଧି ବରଣ କରି ସାରି, ଦାନ କାର୍ଯ୍ୟ ଆରମ୍ଭ କଲେ, ପ୍ରଥମ ପାଦ ଭୂମି ଦାନରେ ସ୍ବର୍ଗପୁର ଆଚ୍ଛାଦିତ ହୋଇଗଲା, ଦ୍ବିତୀୟ ପାଦ ଭୂମି ଦାନରେ ମର୍ତ୍ତ୍ୟପୁର ଆଚ୍ଛାଦିତ ହୋଇଥିଲା, ଏହାପରେ ବଳିରାଜଙ୍କର ବିଶ୍ଵାସ ଦୃଢୀଭୂତ ହେଲା ଯେ ବ୍ରାହ୍ମଣ ରୂପରେ ଆସିଥିବା ବାମନ ବ୍ରାହ୍ମଣ ନୁହନ୍ତି, ଏ ନିଶ୍ଚିତ ଜଣେ ଦେବତା, ତେଣୁ ସେ ଆଦରର ସହିତ ପଚାରିଲେ ପ୍ରଭୁ ଆପଣଙ୍କର ତୃତୀୟ ପାଦ ? ହଠାତ୍ ବାମନ ଦେବଙ୍କର ନାଭି କମଳରୁ ଏକ ପାଦର ଆବିର୍ଭୂତ ହେଲା, ଯେଉଁ ପାଦକି ପ୍ରଭୋ ବଳିରାଜଙ୍କର ମସ୍ତକରେ ରଖି ତାଙ୍କୁ ପାତାଳପୁରରେ ଚାପିଦେଲେ। ବଳି ରାଜାଙ୍କର ପୂର୍ବ ଜନ୍ମର କୋଟି କୋଟି ପାପ ମୁକ୍ତି ହେବା ସହିତ ବିଷ୍ଣୁ ପୁରରେ ବସବାସ କଲେ। ନ୍ୟାୟରେ ଦେବତା ମାନେ ଯେତେ କୂଟକପଟ କରି କୂଟଶ୍ଚର ବୁଦ୍ଧି ଲଗାଇଲେ ମଧ୍ୟ ତାହା ପ୍ରତ୍ୟେକ ଅସୁରମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ। ଦ୍ଵାପର ଯୁଗକୁ ମନେ ପକାଇ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତ ଗହଳି ଦେଖିବାକୁ ମିଳିଛି।