ଭୁବନେଶ୍ୱର : ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ଅନୁଗୋଳ ଜିଲ୍ଲା ଚନ୍ଦ୍ରବିଲ ଅଞ୍ଚଳର ବିକା ନାୟକଙ୍କ ଭଳି ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କାରଣରୁ ଦେଶ ଆଜି ସ୍ୱାଭିମାନୀ ଓ ସୁରକ୍ଷିତ ଅଛି ବୋଲି ତାଙ୍କ ଜନ୍ମମାଟିରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଜି ପ୍ରଥମେ ବଡତ୍ରିବିଡା ସ୍ଥିତ ହାଇସ୍କୁଲ ପରିସରରେ ଶହୀଦ୍ ବିକା ନାଏକଙ୍କ ପୁଣ୍ୟ ‘ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ଜନ୍ମମାଟି ଚନ୍ଦ୍ରବିଲ ଗ୍ରାମକୁ ଯାଇ ଶହୀଦ ନାଏକଙ୍କ ଘରୁ ‘ଅମୃତ କଳସ’ ରେ ପବିତ୍ର ମାଟି ସଂଗ୍ରହ କରିଥିଲେ । ପରେ ସେଠାରୁ ଚାଲି ଚାଲି ଗାଁର ଘର ଘର ବୁଲି ମଧ୍ୟ ମଧ୍ୟ ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଆୟୋଜିତ ଏକ ସଭାରେ ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିବା ସହ ସମବେତ ନାଗରିକଙ୍କ ସହ ‘ପଞ୍ଚ ପ୍ରଣ’ର ଶପଥ ନେବା ସହ ମୋ ମାଟି ମୋ ଦେଶ ଅଭିଯାନର ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଚନ୍ଦ୍ରବିଲ ଠାରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ନେଇଥିବା ଶପଥ ଗୁଡିକ ହେଉଛି ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’ । ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’ । ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’ । ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’ ।