ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର – ଫ୍ରାନ୍ସ ଠାରୁ ଭାରତକୁ ମିଳିଥିବା ପ୍ରଥମ ସି-୨୯୫ ପରିବହନ ବିମାନକୁ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧି ମୁତାବକ ପୂଜାର୍ଚ୍ଚନା ପରେ ବାୟୁସେନାରେ ସାମିଲ୍ କରିଛନ୍ତି । ଯାହାଦ୍ଵାରା ସେନାର ଲଜିଷ୍ଟିକ୍ସ ତଥା ଅନ୍ୟ କ୍ଷମତା ବୃଦ୍ଧି ପାଇବ । ଏହି ଭବ୍ୟ କାର୍ଯ୍ୟକ୍ରମ ବାୟୁସେନାର ହିଂଡନ ଏୟାରବେସ୍ ରେ ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ବି.ଆର. ଚୌଧୁରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହିପରି ଆହୁରି ୧୫ଟି ବିମାନ ଫ୍ରାନ୍ସରୁ ଫ୍ଲାଇଙ୍ଗ ମୋଡ୍ ରେ ଆସିବ ଏବଂ ୪୦ଟି ସୈନ୍ୟ ପରିବହନ ବିମାନ ଟାଟା କମ୍ପାନୀ ଭାରତରେ ନିର୍ମାଣ କରିବ ।
ବାୟୁସେନାର ହିଂଡନ ଏୟାରବେସ୍ ରେ ଆଜି ସକାଳେ ଭାରତ ଡ୍ରୋନ୍ ଶକ୍ତି -୨୦୨୩ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷମତାବିଶିଷ୍ଟ ଡ୍ରୋନ୍ ର ପ୍ରଦର୍ଶନ କରାଯାଇଥିଲା । ଏଠାରେ ୫୦ କେଜିରୁ ୧୦୦ କେଜି ପର୍ଯ୍ୟନ୍ତ ଓଜନର ପରିବହନ କ୍ଷମତାବିଶିଷ୍ଟ ଡ୍ରୋନ୍ ର ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଜନରଲ ବିଜୟ କୁମାର ସିଂହ (ସେବାନିବୃତ), ବାୟୁସେନା ପ୍ରମୁଖ ଏୟାରଚିଫ୍ ମାର୍ଶଲ ବି.ଆର. ଚୌଧୁରୀ ପ୍ରମୁଖ ସାମିଲ୍ ଥିଲେ ।