ଭୁବନେଶ୍ୱର, 23 ସେପ୍ଟେମ୍ବର – ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଙ୍କ ସୂଚନା ମୁତାବକ ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି । ଠିକା ନିଯୁକ୍ତିକୁ ନିୟମିତ , ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ମୁଖ୍ୟ ଦାବି ନେଇ ଆଲୋଚନା ହୋଇଥିଲା । ଡିସେମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶିକ୍ଷକଙ୍କୁ ବୈଠକରେ ୫-ଟି ସଚିବ କହିଛନ୍ତି । ନୂଆବର୍ଷରେ ନୂଆ ଭେଟି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ମିଳିପାରେ ବୋଲି ଆଶ୍ୱାସନା ମିଳିଛି । ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି କୁହାଯାଇଛି ।ଏହି ଆଲୋଚନାରେ ଓପିଟିଏ, ଏଓପିଟିଏଫ୍, ଓଜେଟିଏ, ଏକ୍ସ-କ୍ୟାଡ଼ର, ଲେଫ୍ଟଆଉଟ ଏକ୍ସ-କ୍ୟାଡ଼ର, କଳା ଓ କ୍ରୀଡ଼ା, ଏମ୍.ଏଲ.ଇ, ପଶ୍ଚିମ ଓଡ଼ିଶା ଫୋରମ, ମିଳିତ ମଂଚ ଏହିପରି ମୋଟ ୯ଟି ସଂଗଠନର ୮୦ଜଣ ଶିକ୍ଷକ ଭାଗ ନେଇଥିଲେ ।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଗତ ୮ ତାରିଖ ଠାରୁ ରାଜ୍ୟର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଗତ ୧୮ ତାରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସହ ସଂଗଠନର ଆଲୋଚନା ପରେ ସରକାରଙ୍କ ଉପରେ ଆସ୍ଥା ରଖି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ତେବେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଡାକରାରେ ତିନିଦଫା ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିୟାନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉକ୍ତ ଆଲୋଚନାରେ ଉପସ୍ଥିତ ଥିଲେ । ରାଜ୍ୟରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଂଟ ଦେଇ ମୂଳ ଚାକିିରିରେ ଗଣନା, ବିଦ୍ୟାଳୟରେ ଥିବା ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ରଭୁକ୍ତ କରିବା, ଲେଫ୍ଟଆଉଟ ଗଣଶିକ୍ଷକ ତଥା କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ କରିବାର ମାନ୍ୟତା, ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷିକା ମାନଙ୍କ ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ ଗ୍ରେଡ୍ ପେ ୪୨୦୦ ଟଙ୍କା ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବୀଗୁଡ଼ିକ ସମ୍ପର୍କରେ ସଂଗଠନର ମହାସଚିବ ଚାରୁଲତା ମହାପାତ୍ର ଉପସ୍ଥାପନ କରିଥିଲେ । ୫-ଟି ସଚିବ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀ ଗୁଡ଼ିକ ସକରାତ୍ମକ ଭାବେ ଗ୍ରହଣ କରିଥିଲେ ଏବଂ ଡିସେମ୍ବର ମାସ ଶେଷ ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀମାନେ ନିଶ୍ଚିତ ଦାବୀଗୁଡ଼ିକର ସୁଫଳ ପାଇବେ ବୋଲି କହିଥିଲେ ।