ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଅମିୟ କୁମାର ପଟ୍ଟନାୟକ ଗତକାଲି ଓଡ଼ିଶାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଇଂ ଭକ୍ତ ରଞ୍ଜନ ମହାନ୍ତିଙ୍କ ସହିତ ସେଚ ସଦନ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରି ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅସ୍ତରଙ୍ଗ ଅଂଚଳରେ ଜଳସେଚନର ସ୍ଥାୟୀ ସମାଧାନ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳ କେନାଲର ତଳମୁଣ୍ଡ । ଏହି ଅଂଚଳର ନବେ ପ୍ରତିଶତ ଲୋକ କୃଷିଜୀବି । ଧାନ, ପାନ, ମୀନ ଓ ପନିପରିବା ଚାଷ ସେମାନଙ୍କର ମୁଖ୍ୟ ଜୀବିକା । ଏଠାରେ ଉର୍ବର ପଟୁମାଟି ଯୋଗୁଁ ଦୋଫସଲି ଚାଷ କରି ଚାଷୀ ବେଶ୍ ଲାଭବାନ ହୋଇ ପାରିବେ । ଅସ୍ତରଙ୍ଗ ଅଂଚଳ ସମୁଦ୍ର ନିକଟବର୍ତୀ ହୋଇଥିବାରୁ ଭୂତଳ ଜଳ ଅତି କମ୍ ଗଭୀରତା ମଧ୍ୟରେ ଉପଲବ୍ଧ । କିନ୍ତୁ ଏହି ଅଂଚଳକୁ ଠିକଣା ସମୟରେ ଆବଶ୍ୟକ ପରିମାଣର କେନାଲ ପାଣି ଆସୁ ନ ଥିବା ହେତୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ପାଣି ପାଇବା ତ ଦୂରର କଥା, ଖରିଫ୍ ସମୟରେ ମଧ୍ୟ କେନାଲ ପାଣି ସମସ୍ୟା ନିୟମିତ ଲାଗି ରହୁଛି । ତେଣୁ ଜଳ ସମ୍ପଦ ବିଭାଗ ପକ୍ଷରୁ ତଳମୁଣ୍ଡକୁ କେନାଲରେ ନିୟମିତ ଠିକଣା ସମୟରେ ପାଣି ଯୋଗାଣ, ଅସ୍ତରଙ୍ଗର ବିଭିନ୍ନ ଅଂଚଳରେ କ୍ଲଷ୍ଟର ଭିତିରେ ଉଠା ଜଳସେଚନ ପଏଂଟଣ୍ଟ ସ୍ଥାପନ, ତୁରନ୍ତ ପ୍ରାଚୀ ବ୍ୟାରେଜ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀ ଏହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।