ବଲାଙ୍ଗିର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ଡାକ୍ତର ସମରେନ୍ଦ୍ର ମହାପାତ୍ର। କଟକ ସ୍ଥିତସାରଳା ଭବନ ଠାରେ ଶ୍ରୀ ଅରବିନ୍ଦ ମେଡିକାଲ ଏସୋସିଏସନ ତରଫରୁ ଆୟୋଜିତ ୩୪ତମ ଅଲ ଓଡିଶା କନଫରେନ୍ସ ଅବସରରେ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ରାଜ୍ୟସ୍ତରୀୟ ଅଲ୍ଟ୍ରାସାଉଣ୍ଡ ପ୍ରଶିକ୍ଷକ ତଥା ବଲାଙ୍ଗୀର ଜିଲ୍ଲାର ସଇନ୍ତଳା ସି.ଏଚ.ସି. ରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ରଙ୍କୁ ମାତୃ ଓ ଶିଶୁ ମୃତ୍ୟୁହାର କମ କରିବା ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଓଡିଶାର ଗ୍ରାମାଞ୍ଚଳରେ ଅପହଞ୍ଚ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଅଞ୍ଚଳରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ବଢୁଥିବା ବେଳେ ସଇନ୍ତଳା ଅଞ୍ଚଳରେ ଏହାକୁ ହ୍ରାସ କରିବାରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି ଡାକ୍ତର ଶ୍ରୀ ମହାପାତ୍ର। ତାଙ୍କର ଏହି ପୁରସ୍କାର ପ୍ରାପ୍ତି ଅଞ୍ଚଳରେ ଖୁସିର ଛାୟା ଖେଳାଇ ଦେଇଥିବା ଜଣାପଡିଛି।
ଏହି ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଓ ପ୍ରଫେସର ଡା. ଶ୍ୟାମ କାନୁନଗୋ, ଡାକ୍ତର ହସମୁଖଲାଲ, ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।