କାଠମାଣ୍ଡୁ : ନେପାଳରେ ତୃତୀୟ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ । ହଜାର ହଜାର ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି । ଫଳରେ କାଠମାଣ୍ଡୁରେ ଯାତାୟତ ଏକ ପ୍ରକାର ଠପ୍ ହୋଇପଡିଛି । ଅନ୍ୟପଟେ ସରକାରଙ୍କ ସହ ଶିକ୍ଷକ ଆଲୋଚନା ବିଫଳ ରହିଛି ।
ନେପାଳ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଦେଶରେ ଶିକ୍ଷକମାନେ ଧାରଣା ଦେଇଛନ୍ତି । ନେପାଳ ସଂସଦରେ ଆଗତ ହୋଇଥିବା ନୂଆ ଶିକ୍ଷା ବିଲକୁ ବିରୋଧ କରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ସକାଳୁ ସନ୍ଧ୍ୟା ଯାଏ କାଠମାଣ୍ଡୁର ମାଇତିଘର ମଣ୍ଡଳାରୁ ସଂସଦ ଭବନ ପର୍ଯ୍ୟନ୍ତ ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ଶିକ୍ଷକ ମହାସଂଘର ଅଧ୍ୟକ୍ଷ କମଳା ତୁଳାଧର କହିଛନ୍ତି ଯେ, ଗୁରୁବାର ସରକାରଙ୍କ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ମାତ୍ର ଏଥିରେ ବି କୌଣସି ବିକଳ୍ପ ବାହାରିନାହିଁ । ଆଜି ପୁଣି ଆଲୋଚନା ହେବ ।
ସରକାରୀ ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକୁ ସ୍ଥାନୀୟ ସଂସ୍ଥା ଅଧୀନରେ ରଖିବାକୁ ସଂଘ ବିରୋଧ କରିଛି।
ଅନ୍ୟପଟେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସଂଘ ପକ୍ଷରୁ 17ଟି ଦାବି ରଖାଯାଇଛି । ଅଧିକାଂଶଳ ଦାବି ସମ୍ବିଧାନ ସଂଶୋଧନ ସହିତ ଜଡିତ । ତେଣୁ ଦାବି ଗୁଡିକୁ ତୁରନ୍ତ ପୂରଣ କରାଯାଇପାରିବ ନାହିଁ ।