ଭୁବନେଶ୍ୱର: ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଓଡିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦି ତୁଙ୍ଗ ନେତା ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ପ୍ରମିଳା ମଲ୍ଲିକ ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରମିଳାଙ୍କ ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା। ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ଗତ ମେ’ ମାସରେ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେବେଠାରୁ ବାଚସ୍ପତି ପଦବି ଖାଲି ପଡ଼ିଥିଲା। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଛନ୍ତି । ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୦ ମସିହାରୁ ଲଗାତାର ୫ ଥର ବିଞ୍ଝାରପୁରରୁ ନିର୍ବାଚିତ ହୋଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୧୯ରୁ ୨୦୨୨ ଯାଏ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୨ ଜୁନ୍ ମାସରେ ସେ ନବୀନଙ୍କ କ୍ୟାବିନେଟ୍ରେ ସାମିଲ ହୋଇ ରାଜସ୍ୱ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ସମ୍ଭାଳିଥିଲେ।