ଭୁବନେଶ୍ୱର, 21 ସେପ୍ଟେମ୍ବର – ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ଜୟ ପଣ୍ଡାଙ୍କର କରାଯିବ ବୋଲି ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ କେହି ଜଣେ ଫୋନ୍ ମାଧ୍ୟମରେ ଧମକ ଦେଇଛି । ଏହି ଧମକପୂର୍ଣ୍ଣ କଲ୍ ଘଟଣାରେ ଦିଲ୍ଲୀ ପୁଲିସରେ ଏତଲା ରୁଜୁ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି । ଧମକ ଟି ହିନ୍ଦୀ ଭାଷାରେ ଆସିଥିଲା । ତେବେ କିଏ ଓ କାହିଁକି ଏଭଳି ଧମକ ଦେଇଛି ତାହା ଜଣାପଡିନାହିଁ ।