ନୂଆଦିଲ୍ଲୀ : ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ / ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଘୋଷଣା କରିଛି ଯେ ଏହା ଦେଶର ସ୍କୁଲ ଏବଂ କଲେଜରେ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି । ବିଆଇଏସ୍ ଅନୁଯାୟୀ, ସମାଜର ଯୁବ ସଦସ୍ୟମାନଙ୍କୁ ଜୀବନଶୈଳୀରେ ଉନ୍ନତି ଆଣିବା ନିମନ୍ତେ ମାନଦଣ୍ଡର ମହତ୍ତ୍ୱ ବିଷୟରେ ସଚେତନ କରିବା ପାଇଁ ଏହି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରାଯାଉଛି ।
“ଛାତ୍ର ସମାଜ ଏକ ଶକ୍ତିଶାଳୀ, ଜୀବନ୍ତ ଏବଂ ଗତିଶୀଳ ଭାରତର ସ୍ଥପତି ଅଟନ୍ତି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସହ ସମଗ୍ର ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ କ୍ଲବ ଗଠନ ସହିତ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରୁଛି । ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ହେଉଛି ଯୁବ ମନରେ ଗୁଣବତ୍ତା, ମାନକ ଏବଂ ବିଜ୍ଞାନ ସୁଲଭ ସ୍ୱଭାବ ସୃଷ୍ଟି କରିବା । ଗୁଣାତ୍ମକ ଚେତନା, ମାନକୀକରଣ ନୀତି ଦ୍ୱାରା ଅର୍ଥନୈତିକ ବିକାଶ ଆଣିବାର ଏକ ପ୍ରମୁଖ ସ୍ତମ୍ଭ ଅଟେ । ଆମର ଛାତ୍ରମାନଙ୍କ ମଧ୍ୟରେ ଗୁଣବତ୍ତା, ମାନକ ଏବଂ ମାନକୀକରଣ ପ୍ରତି ଏକ ଶ୍ରଦ୍ଧା ବୃଦ୍ଧି କରି ଆମେ ଏକ ସ୍ଫୁଲିଙ୍ଗ ପ୍ରଜ୍ଜ୍ୱଳିତ କରିଥାଉ ଯାହାକି ଆମ ସମାଜକୁ ପରିବର୍ତ୍ତନ କରିବାର ଶକ୍ତି ରଖିଥାଏ ” ବୋଲି ଏକ ସରକାରୀ ବିବୃତ୍ତି ମାଧ୍ୟମରେ ବିଆଇଏସ୍ ସୂଚନା ଦେଇଛି ।
ବିଆଇଏସ୍ ଦ୍ୱାରା ଆହୁରି ମଧ୍ୟ ସୂଚନା ଦିଆଯାଇଥିଲା ଯେ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଷ୍ଟାଣ୍ଡାର୍ଡ କ୍ଲବ୍ ପଦକ୍ଷେପ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇ ସାରିଛି, ଯାହା ଦେଶର ୬,୪୬୭ ବିଦ୍ୟାଳୟ ଏବଂ କଲେଜରେ ପ୍ରତିଷ୍ଠିତ ହୋଇଛି ।
ଏହି କ୍ଲବ୍ ଗୁଡିକରେ ବିଜ୍ଞାନ ପୃଷ୍ଠଭୂମିରୁ ୧.୭ ଲକ୍ଷରୁ ଅଧିକ ଉତ୍ସାହୀ ଛାତ୍ରମାନଙ୍କର ସଦସ୍ୟତା ରହିଛି । ନିଜ ନିଜ ବିଦ୍ୟାଳୟର ଉତ୍ସର୍ଗୀକୃତ ବିଜ୍ଞାନ ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ବିଆଇଏସ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥାଏ ।
ସେଥି ମଧ୍ୟରୁ ବିଦ୍ୟାଳୟରେ ୫,୫୬୨ ଷ୍ଟାଣ୍ଡାର୍ଡ କ୍ଲବ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ କଲେଜରେ ୯୦୫ ଟି କ୍ଲବ, ଯାହା ମଧ୍ୟରୁ ଇଞ୍ଜିନିୟରିଂ କଲେଜରେ ୩୮୪ ଟି କ୍ଲବ ଅନ୍ତର୍ଭୁକ୍ତ ।
ଏହି ମାନକ କ୍ଲବ୍ ଗୁଡିକର ଛାତ୍ର ସଦସ୍ୟମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, ଯେପରି:
ଷ୍ଟାଣ୍ଡାର୍ଡ ଲେଖନ ପ୍ରତିଯୋଗିତା ।
କୁଇଜ୍ ପ୍ରତିଯୋଗିତା ।