ନୂଆଦିଲ୍ଲୀ : ଅନନ୍ତନାଗ, ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ 100 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ବର୍ତ୍ତମାନ ବୀରତୀ ଘଟିଛି । ଗୁଳି ବିନିମୟ ବନ୍ଦ ହେଲା ପରେ ମଧ୍ୟ ଭାରତୀୟ ସେନାର ଅପରେସନ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଲଗାତାର ବର୍ଷା ସେନାର ସର୍ଚ୍ଚ ଅପରେସନକୁ ମଧ୍ୟ ପ୍ରଭାବିତ କରିଛି । ବର୍ଷା ହେତୁ ଆତଙ୍କବାଦୀମାନେ ସହଜରେ ଲୁଚିବାରେ ସଫଳ ହେଉଛନ୍ତି ଏବଂ ସେମାନଙ୍କୁ ଖୋଜିବା ସେନା ପାଇଁ କଷ୍ଟସାଧ୍ୟ ହେଉଛି । ଗୁଳି ବିନିମୟ ବନ୍ଦ ହୋଇଥିଲେ ହେଁ କ୍ୱାଡକୈପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନିରନ୍ତର ନଜର ରଖାଯାଉଛି ।
ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ସେମାନେ ପାହାଡ ଉପରେ ଥିବା ଗୁମ୍ଫାରେ ଲୁଚି ରହିଛନ୍ତି କିମ୍ବା ପଳାୟନ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଆତଙ୍କବାଦୀମାନଙ୍କୁ ମାରିବା ପାଇଁ ସେନା ହାଇ-ଏଣ୍ଡ ଟେକ୍ନୋଲୋଜି ବ୍ୟବହାର କରୁଛି। ସେନା ଯେଉଁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଉଛି, ତାହା ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳ । ଏହି ଅଞ୍ଚଳ ସମ୍ପୂର୍ଣ୍ନ ପାହାଡ ଏବଂ ଖାଲରେ ପରିପୂର୍ଣ୍ଣ । ଏହି ଅଞ୍ଚଳ ପିର ପଞ୍ଜାଲ ପାହାଡ ସହିତ ସଂଯୁକ୍ତ । ସେନା ଏହି ସମ୍ପୂର୍ଣ୍ନ ଅଞ୍ଚଳକୁ କର୍ଡନ କରିଛି, ଅର୍ଥାତ୍ ଏହା ଦେଢ ରୁ ଦୁଇ କିଲୋମିଟର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି ।
ମଙ୍ଗଳବାର ବିଳମ୍ବିତ ରାତିରୁ ସାନାର ସର୍ଚ୍ଚ ଅପରେସନ୍ କ୍ରମାଗତ ଭାବେ ଚାଲିଛି । ତେବେ ପ୍ରାୟ 100 ଘଣ୍ଟା ପରେ ଶନିବାର ରାତିରେ ଗୁଳି ବିନିମୟ ବନ୍ଦ ହୋଇଯାଇଥିଲା। ମଙ୍ଗଳବାର-ବୁଧବାର ଦିନ ଆତଙ୍କବାଦୀଙ୍କ ଗୁଳିରେ ସେନା କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଥିଲେ। ସେବେଠାରୁ ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ନିରନ୍ତର ମୁକାବିଲା ଚାଲିଛି । ସନ୍ଦେହ କରାଯାଉଛି ଯେ ଦୁଇରୁ ତିନି ଜଣ ଲଶ୍କର ଆତଙ୍କବାଦୀ ପାହାଡ ଉପରେ ଥିବା ଗୁମ୍ଫାରେ ଲୁଚି ରହିଛନ୍ତି ।
ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ନର୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଚିନାର କୋର ଜିଓସି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କ ପରି ବରିଷ୍ଠ ଅଧିକାରୀମାନେ ନଜର ରଖିଛନ୍ତି । ଏହି ଅଧିକାରୀମାନେ ମଧ୍ୟ ଏନକାଉଣ୍ଟର ସ୍ଥାନ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ଆତଙ୍କବାଦୀମାନେ ଭଟାଦୁରିଆଁରେ ଏକ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ସେନାର ପାଞ୍ଚ ଜଣ ସିପାହୀ ସହିଦ ହୋଇଥିଲେ। ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଏବଂ ଖାଲଖମା ର ସୁଯୋଗ ନେଇ ସେଠାରୁ ପଳାଇ ଯାଇଥିଲେ ।