ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତେଜିଛି ଅସନ୍ତୋଷ । ଏହି କ୍ରମରେ ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଛାତ୍ର କଂଗ୍ରେସ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଅଣ୍ଡାମାଡ କରିଛନ୍ତି । ପୋଲିସ୍ଆନ୍ଦୋଳନକାରୀଙ୍କୁ ଅଟକାଇବା ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ୍ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଛି ।
ଘଟଣା ସମ୍ପର୍କରେ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ଛାତ୍ର କଂଗ୍ରେସ ଯୋରଦାର ଆନ୍ଦୋଳନ କରିବ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଯୁଆଡେ ଯିବେ ଅଣ୍ଡା ଓ ଟମାଟ ମାଡରେ ଗାଧେଇବେ । ସେ କହିଛନ୍ତି ସରକାର କହୁଛନ୍ତି ବିଶୃଙ୍ଖଳା ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଉଛି । କିନ୍ତୁ ବିଶୃଙ୍ଖଳା କରୁଛି କିଏ? ବିଜୁ ଜନତା ଦଳର କର୍ମକର୍ତା ବିଶୃଙ୍ଖଳା କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେଡି ସଫା ହୋଇଯିବ । ସେଥିପାଇଁ ନବୀନ ବାବୁ ଡରୁଛନ୍ତି । ତେଣୁ ତୁରନ୍ତ ପୁର୍ନବିଚାର କରି ଛାତ୍ର ସଂସଦ ନିର୍ବାଚନ କରନ୍ତୁ । ନହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ । ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ ହୋଇଛି କାଲି ତାଲା ପକାଇବୁ ଯେଉଁ ଯାଏଁ ଜବାବ ଦେଇ ନାହାନ୍ତି ।