ଭୁବନେଶ୍ୱର, 12 ସେପ୍ଟେମ୍ବର – ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ଅପସାରଣ କରିବା ପରେ ବିଜେଡି ନେତାମାନେ ସୌମ୍ୟଙ୍କୁ ପୁଣି ସମାଲୋଚନା କରିଛନ୍ତି । ସାଂସଦ ଅମର ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଦଳ ଭିତରେ ରହି ଦଳକୁ ବଦନାମ କରିବା କେବେ ହେଲେ ଗ୍ରହଣୀୟ ନୁହେଁ । ଆଜି ଦଳର ସଭାପତି ଯେଉଁ ନିଷ୍ପତି ନେଇଛନ୍ତି, ଏଥିପାଇଁ ନେଇଛନ୍ତି କି ଜଣେ ବ୍ୟକ୍ତି ନିଜର ଅଭିଳାଷ ଚରିତାର୍ଥ ହୋଇ ନପାରିବା ଯୋଗୁଁ ଦଳକୁ ବ୍ଲାକମେଲ କରିଛନ୍ତି । ଏହାକୁ ସଭାପତି ଗ୍ରହଣ କରିନାହାନ୍ତି । ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମୋ ମତରେ ସୌମ୍ୟବାବୁ ବିଧାୟକ ପଦରୁ ଇସ୍ତଫା ଦେବା ଦରକାର, କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇ ସାରିଛନ୍ତି ।
ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଜଣେ ବ୍ୟକ୍ତିବିଶେଷଙ୍କୁ ଦଳକୁ ଆଣି ରାଜ୍ୟସଭା ପଠାଗଲା, ବିଧାୟକ କରାଗଲା, ଯାହା କେବେ ହେଲେ ହୋଇ ପାରିନଥାନ୍ତା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ସୁଯୋଗ ପାଇଲେ । କିନ୍ତୁ ସୁଯୋଗ ପାଇ କଲେ କ’ଣ ? ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ବ୍ଲାକମେଲ୍ କଲେ, ତାକୁ ଦଳ ଗ୍ରହଣ କରିପାରିବ ନାହିଁ । ଉପସଭାପତି ପଦରୁ ବରଖାସ୍ତ କରାଯାଇଛି । ମୋତେ ତ ଲାଗୁଛି ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସେ ନିଜକୁ ସୁଧାରି ନିଅନ୍ତୁ ନହେଲେ ଯାହା ହେବା କଥା ହେବ ।