ଭୁବନେଶ୍ୱର : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କ ପାଇଁ ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ, ଉଦ୍ଘାଟନ କରି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିବର୍ତ୍ତିତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ଏଫଏଲ୍ଏନ୍ ମଡେଲ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ବ୍ଲକରେ ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବା ପାଇଁ ଶିକ୍ଷକ ପ୍ରଶିକ୍ଷକଙ୍କ ଦାୟିତ୍ୱ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ, ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୬ ଜଣ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ମନୋଜ କୁମାର ପାଢୀ ସମସ୍ତ ଅତିଥି ଓ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହାପରେ ଜ୍ୟୋତି ରଞ୍ଜନ ମିଶ୍ର ପ୍ରାକ ସେବାକାଳୀନ ଓ ସେବାକାଳୀନ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଗୁଣବତ୍ତା ଶିକ୍ଷକ ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶୈଳୀ, ଜ୍ଞାନ ଓ କୌଶଳ ଉପରେ ନିର୍ଭର କରେ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଶ୍ରୀମତୀ ଶୁଭଶ୍ରୀ ନନ୍ଦ ତାଙ୍କର ଅଭିଭାଷଣରେ ଗୁରୁ ଓ ଶିଷ୍ୟର ପରମ୍ପରା ଉପରେ ଗୁରୁତ୍ୱ ଦେବା ସହିତ ଶିଖିବାର ଧାରା ସବୁ ସମୟରେ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ପି. ସି. ଅଗ୍ରୱାଲ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଲ୍ଲେଖିତ ଶିକ୍ଷକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏକ ବିଂଶ ଶତାବ୍ଦୀର ଶିକ୍ଷାର୍ଥୀ ପ୍ରସ୍ତୁତ କରିବା ପାଇଁ ଶିକ୍ଷକମାନଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଶିକ୍ଷକ ଶିକ୍ଷା ସମ୍ପର୍କିତ ବିଷୟ ବସ୍ତୁ ଉପରେ ତାତ୍ତ୍ୱିକ ଆଲୋଚନା ହେବା ସହିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ଓ ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନର କାର୍ଯ୍ୟାବଳୀକୁ ଅନୁଧ୍ୟାନ କରିବା ସହିତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟାବଳିକୁ ଅନୁଧ୍ୟାନ କରିବା ଏବଂ ପ୍ରତିଦିନ ସକାଳେ ଯୋଗ, ପ୍ରାଣାୟମ ଆଦି କରାଯିବାର ବ୍ୟବସ୍ଥା ରହିଛି । ଏଥି ସହିତ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ‘ତତୋଚାନ’ ପୁସ୍ତକ ପଠନ, ବିଶ୍ଳେଷଣ ଓ ଆଲୋଚନା କରାଯିବ ଏବଂ ଶିକ୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ପ୍ରତିଦିନ କାର୍ଯ୍ୟକ୍ରମ ଶେଷରେ ଆଲୋଚିତ ବିଷୟବସ୍ତୁଗୁଡିକର ପୁନରାଲୋଚନା କରାଯାଉଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଶିକ୍ଷଣ ମୂଲ୍ୟାୟନ କରାଯିବା ସହିତ ଶିକ୍ଷକ ପ୍ରଶିକ୍ଷକଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ୧୧.୦୯.୨୦୨୩ ରୁ ୧୭.୦୯.୨୦୨୩ ପର୍ଯ୍ୟନ୍ତ ଜାରି ରହିବ ।