ସମ୍ବଲପୁର, ତା ୭-୯ (ହିସ): ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ। ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ ୧୦.୨୭ରୁ ୧୦.୪୨ରେ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ।
ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମଣ୍ଡଳୀ ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ଏଠାରେ ବିଦ୍ବାନ, ପଣ୍ଡିତ ପହଞ୍ଚି ସର୍ବ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ। ଏହାପରେ ମାଁ ସମଲେଶ୍ବରୀଙ୍କ ରାଶି ପଞ୍ଜିକୃତ ଅନୁସରଣ ତଥା ନକ୍ଷତ୍ର ଗଣନା ପୂର୍ବକ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥିଲେ। ନିର୍ଦ୍ଧାରିତ ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କ ଠାରେ ଲଗ୍ନପତ୍ର ପ୍ରଦାନ କରିଛନ୍ତି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏହା ପରେ ପରମ୍ପରା ଅନୁସାରେ ସମଗ୍ର ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।