ଗଞ୍ଜାମ : ବିଭିନ୍ନ ଖାଦ୍ୟ ସାମଗ୍ରୀ ବ୍ୟବସାୟ କରୁଥିବା କମ୍ପାନୀ ଜଣେ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ବଡବଜାର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।
ପ୍ରହଲ୍ଲାଦ ନଗର ଅଂଚଳର ସାଇ ସ୍ଵରୂପ ଆଚାରୀ ଏହି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨ ବର୍ଷ ହେବ ସେ ବିଭିନ୍ନ କମ୍ପାନୀର ସାମଗ୍ରୀ ଆଣି ଡିଷ୍ଟ୍ରିବ୍ୟୁଟର ଭାବେ କାମ କରୁଛନ୍ତି । ପ୍ରାୟ ୭ରୁ ୮ ମାସ ତଳେ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଏକ କମ୍ପାନୀର ମାଲିକ ଓ ସହଯୋଗୀ ତାଙ୍କ ପାଖକୁ ଆସି ସେମାନଙ୍କ ପ୍ରଡକ୍ଟ ସମ୍ପର୍କରେ କହିବା ପରେ ସାଇ ସ୍ଵରୂପ ସେମାନଙ୍କ ସହିତ ବ୍ୟବସାୟ କରିବାକୁ ରାଜି ହୋଇଥିଲେ । ତା’ ପରେ ସେହି କମ୍ପାନୀର ବ୍ୟାଙ୍କ ଆକାଉଂଟକୁ ୪ ଥରରେ ମୋଟ୍ ୧୦ ଲକ୍ଷ ଟଙ୍କା ପଠାଇଥିଲେ । କିନ୍ତୁ, ମାସ ମାସ ବିତିଗଲା ପରେ ମଧ୍ୟ ତାଙ୍କ ନିକଟକୁ ଉକ୍ତ କମ୍ପାନୀ ପକ୍ଷରୁ କୌଣସି ସାମଗ୍ରୀ ପଠାଯାଇନଥିଲା । ଟଙ୍କା ଫେରସ୍ତ କରିବାକୁ କହିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ସାଇ ସ୍ଵରୂପ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।