ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ଆଛୁଲି ଗ୍ରାମପଂଚାୟତର ସମିତି ସଭ୍ୟା ପଦବୀକୁ ଛତ୍ରପୁର ସିନିଅର ସିଭିଲ୍ ଜଜ୍ ରଦ୍ଦ କରିଛନ୍ତି । ଗତ ବର୍ଷ ଜାନୁଆରୀ ମାସରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଛୁଲି ପଂଚାୟତ ସମିତିସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଉକ୍ତ ପଦବିରେ ପ୍ରତିନିଧିତ୍ଵ କରିବା ପାଇଁ ନିର୍ମଳା ନାହାକ ଓ ବିନୋଦିନୀ ପଣ୍ଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ବିଜୟ କୁମାର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ନିର୍ମଳା ଦାଖଲ କରିଥିବା ନାମାଙ୍କନରେ ତୃଟୀ ଥିବା ଦର୍ଶାଇ ପରବର୍ତି ସମୟରେ ବ୍ଲକ ନିର୍ବାଚନ ଅଧିକାରୀ ଏହାକୁ ନାକଚ କରିଦେଇଥିଲେ । ଫଳରେ ନିୟମ ଅନୁସାରେ ବିନୋଦିନୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ଯାହାକୁ ନେଇ ପଂଚାୟତରେ ଅଶାନ୍ତ ବାତାବରଣ ଦେଖାଯାଇଥିଲା । ନିର୍ମଳା ଏନେଇ ଛତ୍ରପୁର ସିଭିଲ୍ ଜଜ୍ ଙ୍କ ନିକଟରେ ଏକ ନିର୍ବାଚନୀ ମୋକଦ୍ଦମା ରୁଜ୍ଜୁ କରିଥିଲେ । ଏହାକୁ ଗ୍ରହଣ କରି ଅଦାଲତ ଉଭୟ ପକ୍ଷର ୪ ଜଣ ସାକ୍ଷୀଙ୍କ ବୟାନ୍ କୁ ଭିତି କରି ଆଛୁଲି ସମିତିସଭ୍ୟ ପଦକୁ ଅସିଦ୍ଧ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି । ନିର୍ମଳାଙ୍କ ପକ୍ଷରୁ ଆଇନଜିବୀ ଶ୍ରୀକାନ୍ତ ମିଶ୍ର ମୋକଦ୍ଦମା କରିଚାଳନା କରିଥିଲେ ।