ଟୋକିଓ : ଜାପାନର ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ (MHI) ଗୁରୁବାର ସକାଳେ ଚନ୍ଦ୍ର ଲ୍ୟାଣ୍ଡର ନେଇ ନିଜର H-IIA ରକେଟ୍ ଉତକ୍ଷେପଣ କରିବ। ପ୍ରତିକୂଳ ପବନ ଯୋଗୁଁ ଗତ ମାସରେ ଲଞ୍ଚିଂକୁ ସ୍ଥଗିତ ରଖାଯାଇଥିଲା, ଯାହା ପରେ ଏବେ ଏକ ନୂଆ ତାରିଖ ସ୍ଥିର କରାୟାଇଛି। ଦକ୍ଷିଣ ଜାପାନର ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି (JAXA) ତାନେଗାସିମା ସ୍ପେସ୍ ସେଣ୍ଟରରୁ ସକାଳ 8.42 ରେ ଏହି ଉତକ୍ଷେପଣ ହେବ । ଚନ୍ଦ୍ରରେ ଉତକ୍ଷେପଣ ପାଇଁ ଏହି ୱିଣ୍ଡୋ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ଖୋଲା ରହିବ । ଲଞ୍ଚ ହେବାର ଚାରି ମାସ ପରେ ଏହା ଚନ୍ଦ୍ରରେ ପହଞ୍ଚିବ ।
H-IIA ରକେଟ୍ JAXA ଏବଂ MHI ଦ୍ୱାରା ମିଳିତ ଭାବରେ ନିର୍ମିତ । 2001ଠାରୁ ଏହା ଜାପାନର ପ୍ରାଥମିକ ସ୍ପେସ୍ ଲଞ୍ଚ ଯାନ । ଏହାର ଟ୍ରାକ୍ ରେକର୍ଡ ବହୁତ ଭଲ ରହିଛି । 46 ଟି ପ୍ରୟାସରେ ଏହା 45 ଥର ସଫଳ ହୋଇଛି । ତେବେ ମାର୍ଚ୍ଚରେ ପ୍ରଥମ ଥର ପାଇଁ JAXA ର ନୂତନ ମଧ୍ୟମ-ଲିଫ୍ଟ H3 ରକେଟର ବିଫଳତା ପରେ H-IIA ର 47 ତମ ଉତକ୍ଷେପଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।ଏହାର ବିଫଳତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ପରେପୁନର୍ବାର ଏହାକୁ ଊତକ୍ଷେପଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଉତକ୍ଷେପଣ ଜାପାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହା ଚନ୍ଦ୍ରରେ ଅବତରଣ କରିବାକୁ ଜାପାନର ପ୍ରଥମ ମହାକାଶଯାନ SLIM ବହନ କରିବ ।
ଯଦି ଏହି ମିଶନ ସଫଳ ହୁଏ, ତେବେ ଜାପାନର ଏରୋସ୍ପେସ୍ ବିକାଶ ଗତିଶୀଳ ହୋଇପାରେ । ୟୋମିରି ଖବରକାଗଜ ସୋମବାର ରିପୋର୍ଟ କରିଛି ଯେ, 2024 ଆର୍ଥିକ ବର୍ଷରେ JAXA ପ୍ରାୟ 68.4 ମିଲିୟନ ଡଲାର ସବସିଡି ପାଇପାରେ । ଏହି ପାଣ୍ଠି ଉପଗ୍ରହ ଉତକ୍ଷେପଣ ଏବଂ ଚନ୍ଦ୍ରର ଅଧ୍ୟୟନ ସହ ଜଡିତ ଟେକ୍ନୋଲୋଜିର ବିକାଶରେ ଜଡିତ କମ୍ପାନୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ଷତିପୂରଣ ଦେବା ପାଇଁ ବ୍ୟବହୃତ ହୋଇପାରିବ । ଯେତେବେଳେ ଭାରତର ଚନ୍ଦ୍ରାୟନ -3 ମିଶନ ସଫଳ ହୋଇଛି ସେତେବେଳେ ଜାପାନ ଏହାକୁ ଆରମ୍ଭ କରୁଛି ।
ଭାରତୀୟ ମହାକାଶ ଏଜେନ୍ସି ISRO ଦ୍ୱାରା ପରବର୍ତ୍ତୀ ଚନ୍ଦ୍ର ମିଶନ ଜାପାନ ସହଯୋଗରେ କରାଯାଇପାରିବ । ଜାପାନ ଏବଂ ଭାରତ ଚନ୍ଦ୍ର ଲୁନାର ପୋଲ୍ ର ଅନୁସନ୍ଧାନ ମିଶନ ଆରମ୍ଭ କରିପାରନ୍ତି । ଉଭୟ ଦେଶର ସ୍ପେସ୍ ଏଜେନ୍ସି ରୋଭର ଏବଂ ଲ୍ୟାଣ୍ଡର ଡିଜାଇନ୍ କରୁଛନ୍ତି । ରୋଭର ISRO ଏବଂ JAXA ଏବଂ ନାସା ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସିରୁ ପେଲୋଡ୍ ମଧ୍ୟ ବହନ କରିବ । ଚନ୍ଦ୍ରୟାନ -4 ମିଶନ 2026 ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।