କେନ୍ଦୁଝର : ଲୋକକଳା ଜନସଚେତନତା ସୃଷ୍ଟି କରିବାରେ ପ୍ରଭାବୀ ମାଧ୍ୟମ ବୋଲି ରାଜ୍ୟ ସଂସାଧନ ବିଶେଷଜ୍ଞ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି । ୫ ତାରିଖ ମଙ୍ଗଳବାର ଦିନ ଦୁଇ ଦିନିଆ ଲୋକକଳା ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଶ୍ରୀ ସାମନ୍ତରାୟ ଏହି ମତବ୍ୟକ୍ତ କରିବା ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଲୋକକଳା କଳାକାର ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଅନେକ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନା ପ୍ରବର୍ତନ କରିଛନ୍ତି । ଯଦି ଜନସାଧାରଣ ଏସବୁ ଯୋଜନା ସମ୍ପର୍କରେ ବିଶଦ ଭାବେ ଜାଣି ପାରିବେ ସେମାନେ ଏହାର ସୁଫଳ ପାଇ ପାରିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘ ଜରିଆରେ ସୂଚନା, ଶିକ୍ଷା ଓ ସଂଚାର ଉପକ୍ରମରେ ଲୋକକଳାର ପ୍ରୟୋଗ ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଦ୍ୱାରା ଅବକ୍ଷୟମୁଖି ଲୋକକଳାର ପୁନରୁଦ୍ଧାର ହେବା ସହିତ ଜନାଦୃତି ଲାଭ କରିବ ଏବଂ ଲୋକକଳା କଳାକାର ମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆସିବ । ଏହା ଦ୍ୱାରା ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିବେ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ । ଚଳିତ ସେପ୍େଟମ୍ବର ମାସ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ସରକାରଙ୍କର ବିଭିନ୍ନ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ମମତା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, ଆମ ଓଡିଶା ନବୀନ ଓଡିଶା, ୫-ଟି ହାଇସ୍କୁଲ ରୁପାନ୍ତୀକରଣ ଇତ୍ୟାଦି ଯୋଜନାର ପ୍ରଚାର ଶୈଳୀ ଓ କୌଶଳ ଉପରେ ଜିଲ୍ଲାର ସଂସାଧନ ସଭ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ ସଂସାଧନ ସଭ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ତାଙ୍କର ସନ୍ଦେହ ମୋଚନ କରିଥିଲେ । ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସଂଜୀବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଦିନର ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଲୋକନାଥ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ପାଲା ଗାୟକ ଧିରେନ କୁମାର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପୀତବାସ ମିଶ୍ର, ଚମ୍ପୁଆ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗର ଯୋଜନା ସମ୍ପର୍କରେ ସଂସାଧନ ସଭ୍ୟ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ସେମାନଙ୍କ ପ୍ରଶ୍ନର ଉତର ରଖି ସଂସାଧନ ସଭ୍ୟଙ୍କ ସଂଶୟ ଦୂର କରିଥିଲେ ଏବଂ ବ୍ଲକ ସ୍ତରରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରର ଆୟୋଜନର ରୂପରେଖ ଏବଂ ପ୍ରଚାର କୌଶଳ ଓ ଶୈଳୀ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।