ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ବ୍ୟାଗ୍ ବଣ୍ଟନରେ ବ୍ୟାପକ ଅନୀୟମିତତା ହେଉଥିବା ଅଭିଯୋଗ ହେଉଛି । ଏପରିକି ଏକ ବର୍ଷ ତଳୁ ଟଙ୍କା ଆସି ବ୍ୟାଙ୍କରେ ଜମା ହେବା ସହ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଜମାଖାତାକୁ ଅର୍ଥ ଆସିଥିଲେ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା କମିଟି ସଭାପତି ଓ ଦାୟିତ୍ୱରେ ଥିବା ସିଆରସିସିମାନଙ୍କ ଚଞ୍ଚକତା ଯୋଗୁ ଅଧିକାଂଶ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ବ୍ୟାଗ୍ ବଣ୍ଟନ ହୋଇନଥିବା ବେଳେ ବଣ୍ଟନ କରାଯାଇଥିବା ବ୍ୟାଗ୍ ଗୁଡିକ ଅତି ନିମ୍ନମାନର ବୋଲି ଛାତ୍ରାଭିଭାବକମାନେ ଅଭିଯୋଗ କରୁଛନ୍ତି । ସୂଚନାଅନୁସାରେ ଜିଲ୍ଲା ଶିକ୍ଷା ଯୋଜନାରେ ପ୍ରକଳ୍ପ ଅଧିକାରୀ ସେପ୍େଟମ୍ବର ୭ ତାରିଖ ୨୦୨୨ ରିଖରେ ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଅଧିକାରୀଙ୍କ ଅଧିନରେ ଥିବା ୧୮୩ ଟି ବିଦ୍ୟାଳୟର ୩ ହଜାର ୬୭୮ ଜଣ ଛାତ୍ର ଛାତ୍ରୀଙ୍କ ନିମନ୍ତେ ୪ ଲକ୍ଷ ୭୬ ହଜାର ୬୬୮ ଟଙ୍କା ପଠାଇଥିଲେ । ଏହି ଟଙ୍କାରେ ପ୍ରତ୍ୟେକ ଛାତ୍ର ଛାତ୍ରୀମାନଙ୍କ ପାଇଁ ପ୍ରାୟ ୧୩୦ ଟଙ୍କା ବ୍ୟୟରେ ପ୍ରତି ସ୍କୁଲର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ବ୍ୟାଗ୍ କିଣି ବଣ୍ଟନ କରିବାର ନିର୍ଦ୍ଦେଶନାମା ରହିଛି । ଏଥି ମଧ୍ୟରେ ଏକ ବର୍ଷ ବିତିବାକୁ ବସିଲାଣି । ହେଲେ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ବ୍ୟାଗ୍ ବଣ୍ଟନ କରାଯାଇନଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ଯେଉଁ ବ୍ୟାଗ୍ ବଣ୍ଟନ କରାଯାଇଛି ତାହା ନିମ୍ନମାନର ବୋଲି ଛାତ୍ରାଭିଭାବକମାନେ ଅଭିଯୋଗ କରୁଛନ୍ତି । ଏପରିକି ବ୍ୟାଗ୍ ବଣ୍ଟନର ୨ ମାସ ମଧ୍ୟରେ ବ୍ୟାଗ୍ର ଫିତା ଛିଡି ଯିବା ସହ ବ୍ୟାଗ୍ର ସିଲେଇ ଖୋଲିଯାଇଥିବା ଛାତ୍ରାଭିଭାବକମାନେ ପ୍ରକାଶ କରିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବ୍ୟାଗ୍ ବଣ୍ଟନରେ ହୋଇଥିବା ଅନୀୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।