
ସମ୍ବଲପୁର, ୦୫ ସେପ୍ଟେମ୍ବର : ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲା ସ୍ତରୀୟ ”ମୁଁ ବି ମିତା” ଅଭିଯାନ ଶୁଭାରମ୍ଭ ହୋଇଯାଇଛି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନନ୍ୟା ଦାସ ଯୋଗଦେଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି | ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହ ନୂତନ ଭୋଟର ନାମ ପଞ୍ଜିକରଣ ନିମନ୍ତେ ସଚେତନତା ସୃଷ୍ଟି ସହିତ ପ୍ରୋତ୍ସାହିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ | ଏହି ଅବସରରେ ରେଙ୍ଗାଲି ଏବଂ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରୁ ଚୟନ ହୋଇ ଆସିଥିବା ୨୫ ଜଣ ଛାତ୍ରୀଙ୍କୁ ”ମୁଁ ବି ମିତା” କ୍ୟାମ୍ପସ ଆମ୍ବାସାଡର ଭାବେ ଘୋଷଣା କରାଯିବା ସହ ସେମାନଙ୍କୁ ପରବର୍ତ୍ତୀ ସମୟରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି | ଛାତ୍ରଛାତ୍ରୀ ମାନେ ହିଁ ଆମ ଗଣତନ୍ତ୍ର ତଥା ଦେଶର ଭବିଷ୍ୟତ | ଗଣତନ୍ତ୍ରର ସୁଦୃଢକରିବାକୁ ହେଲେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିବା ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ସୁନ୍ଦର ଦେଶ ଗଠନ ସମ୍ଭବପର ହେଇପାରିବ | ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ମଞ୍ଚାସୀନ ଅତିଥି ମାନେ ମତପ୍ରକାଶ କରିଛନ୍ତି | ବୈଠକରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସଦର ଉପଜିଲ୍ଲାପାଳ ତଥା ଇଆରଓ ପ୍ରଭାସ ଦଣ୍ଡସେନା, ସଦର ତହସିଲଦାର ଲକ୍ଷ୍ମଣ ଅମାତ, ଡେପୁଟି କଲେକ୍ଟର ଆଦିତ୍ୟ ପାଢୀ, ଏନ୍ଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି, ସହକାରୀ ଜିଲ୍ଲାପାଳ(ନିର୍ବାଚନ) ଜ୍ୟୋତିର୍ମୟୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ | ଡେପୁଟି କଲେକକ୍ଟର (ନିର୍ବାଚନ) ସୁଶାନ୍ତ ସାହୁ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ |ଏହା ସହିତ କୁଚିଣ୍ଡା ଏବଂ ରେଢ଼ାଖୋଲ ଉପଖଣ୍ଡରେ ମଧ୍ୟ” ମୁଁ ବି ମିତା” ଅଭିଯାନର ଶୁଭାରମ୍ବ ହୋଇଛି | ସୂଚନା ଯେ, ଫର୍ମ ୬ ରେ ନାମ ପଞ୍ଜିକରଣ, ଫର୍ମ ୭ ରେ ନାମ ଅପସାରଣ, ଫର୍ମ ୮ ରେ ଭ୍ରମ ସଂଶୋଧନ, ସ୍ଥାନାନ୍ତରିକରଣ ଓ ନୂତନ ମତଦାନ ପରିଚୟପତ୍ର ପାଇଁ ଆବେଦନ, ଫର୍ମ ୬ (ଖ) ରେ ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ | ଏହା ଛଡା ଯେଉଁ ମାନଙ୍କର ୧ ଜାନୁଆରୀ, ୧ ଏପ୍ରିଲ, ୧ ଜୁଲାଇ କିମ୍ବା ୧ ଅକ୍ଟୋବର ସୁଦ୍ଧା ବୟସ ୧୮ ହେଉଛି ତେବେ ନୂଆ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି|