କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ଗୁରୁଦିବସ ଠାରୁ ଗରାପୁର ସ୍ଥିତ ଗାନ୍ଧୀଜୀଙ୍କ ପ୍ରର୍ତିମୂର୍ତି ତଳେ ଗଣଧାରଣା ଆହ୍ୱାନ ଦିଆଯାଇ ଥିଲା । ଆଜି କ୍ରିୟାନୁଷ୍ଠାନ କମିଟିର ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ଫକୀର ଖଟୁଆ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାନ ପ୍ରମୁଖ ସଦସ୍ୟ ମାନେ ଗାନ୍ଧୀଜୀଙ୍କ ପ୍ରର୍ତିମୂର୍ତି ନିକଟରେ ପୂର୍ବ ନିଷ୍ପତି ଅନୁଯାଇ ଧାରଣାରେ ବସିବା ଉଦ୍ୟମ କରୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବାରଣ କରାଯାଇ ଥିଲା । ଧାରଣା ପାଇଁ ପୋଲିସ ପ୍ରଶାସନ ଅନୁମତି ନଥିବାରୁ ଟେଣ୍ଟ ବାନ୍ଧି ପାରିବେ ନାହିଁ ବୋଲି ପୋଲିସ ଧାରଣାକାରୀ ମାନଙ୍କୁ ଜାଗା ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା । ଫଳରେ ଧାରଣାକାରୀ ମାନେ ଟେଣ୍ଟ ନବାନ୍ଧି ଗାନ୍ଧୀଜୀଙ୍କ ପ୍ରର୍ତିମୂର୍ତି ତଳେ ୨ ଘଣ୍ଟିଆ ପ୍ରତୀକ ଧାରଣା ଦେଇଥିଲେ । ଏଥି ସହିତ ପ୍ରତିଦିନ ୨ ଘଣ୍ଟିଆ ଧାରଣା ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଚଳିତ ମାସ ୨୨ ତାରିଖ ଠାରୁ ଦୁହୁରିଆ ଠାରେ ଜାତୀୟ ରାଜପଥ ଓ ରେଳପଥକୁ ଅଚଳ କରାଯିବ ବୋଲି ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ନିଆଯାଇ ଥିବା ଜଣାପଡିଛି । ଏହି ଧାରଣାରେ ବସିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରୁ ମେଡିକାଲ ସମର୍ଥକ ମାନେ ଆସିଥିଲେ ବୋଲି ଜଣାପଡିଛି ।